Categories: ଜାତୀୟ

ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ,ଏସଆଇ-ଏଏସଆଇ-ହାବିଲଦାର ସମେତ ୩୭୨ ପୋଲିସ ନିଲମ୍ବିତ…

ଚଣ୍ଡିଗଡ଼,୨୪।୧୦ : ହରିୟାନା ରାଜ୍ୟ ସରକାର ୩୭୨ ପୋଲିସଙ୍କୁ ନିଲମ୍ବିତ କରିଛନ୍ତି। ନିଲମ୍ବନ କରିବାର ଏହି ନିଷ୍ପତ୍ତି ରାଜ୍ୟ ଗୃହମନ୍ତ୍ରୀ ଅନିଲ ବିଜ ନେଇଛନ୍ତି। ଏହି କାରଣରୁ ମନ୍ତ୍ରୀ ଅନିଲ ପୁଣି ଥରେ ହେଡଲାଇନରେ ସ୍ଥାନ ପାଇଛନ୍ତି। ତାଙ୍କ ନିର୍ଦ୍ଦେଶ ପୋଲିସ ବିଭାଗରେ ଆଲୋଡ଼ନ ସୃଷ୍ଟି କରିଛି। କାର୍ଯ୍ୟରେ ଅବହେଳା ପାଇଁ ଗୃହମନ୍ତ୍ରୀ ଏହି କର୍ମଚାରୀମାନଙ୍କୁ ନିଲମ୍ବିତ କରିଛନ୍ତି। ସୂଚନା ଅନୁଯାୟୀ, ଏହି ଅଧିକାରୀମାନେ ଗୋଟିଏ ବର୍ଷରେ ପଞ୍ଜୀକୃତ ହୋଇଥିବା ଅନେକ ଏଫଆଇଆର୍‌ ଯାଞ୍ଚକୁ ଅଟକାଇ ରଖିଥିଲେ।

ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ହରିୟାଣା ଡିଜିପି ଶତ୍ରୁଜିତ କପୁର ବିଭାଗର ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି। ଏହି ଅଧିକାରୀମାନେ ୩୨୨୯ ଏଫଆଇ ତଦନ୍ତକୁ ଅଟକାଇଥିବା ଅଭିଯୋଗ ହୋଇଛି। ନିଲମ୍ବିତ କର୍ମଚାରୀମାନଙ୍କ ମଧ୍ୟରେ ଏସଆଇ,ଏଏସଆଇ,ହାବିଲଦାର ପର୍ଯ୍ୟନ୍ତ ରହିଛନ୍ତି। ସୂଚନାନୁସାରେ, ଗୃହମନ୍ତ୍ରୀ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ଅନୁସନ୍ଧାନକାରୀ ଅଧିକାରୀମାନେ ଠିକ ଭାବେ କାମ କରୁ ନ ଥିବାରୁ ଅସନ୍ତୋଷ ପ୍ରକାଶ କରି ଥିଲେ।

ଡିଜିପିଙ୍କୁ ଗୃହମନ୍ତ୍ରୀ ଲେଖିଥିବା ଚିଠିରେ ସ୍ପଷ୍ଟ ଭାବେ କୁହାଯାଇଛି ସେମାନଙ୍କ ଦ୍ୱାରା ଅଟକାଇ ରଖାଯାଇଥିବା ବିଚାରାଧୀନ ମାମଲାଗୁଡ଼ିକୁ ଡିଏସପିଙ୍କ ପାଖକୁ ସ୍ଥାନାନ୍ତର କରାଯାଉ। ଏଥି ସହିତ, ସମ୍ପୃକ୍ତ ଡିଏସପିଙ୍କୁ ଏକ ମାସ ମଧ୍ୟରେ ଏହି ୩୨୨୯ ମାମଲାର ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ସେମାନେ ଏକ ମାସ ମଧ୍ୟରେ ଏହି ମାମଲା ସମାଧାନ କରିବାକୁ ସକ୍ଷମ ନୁହଁନ୍ତି, ତେବେ ସେମାନଙ୍କ ବିରୋଧରେ ମଧ୍ୟ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ନିଲମ୍ବିତ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ସର୍ବାଧିକ ୬୬ ଜଣ ସିର୍ସା ଜିଲାରୁ, ୬୦ ଜଣ ଗୁରୁଗ୍ରାମରୁ, ୫୭ ଜଣ ଯମୁନାନଗରରୁ, ୩୨ ଜଣ ଫରିଦାବାଦରୁ, ୩୧ ଜଣ କର୍ଣ୍ଣଲରୁ, ୩୧ ଜଣ ରୋହତକରୁ, ୩୦ ଜଣ ଅମ୍ବାଲା, ୧୦ ଜଣ ପଞ୍ଚକୁଲା, ୧୪ ଜଣ ହିସାର, ପାନିପତରୁ ୩ ଜଣ ଅଛନ୍ତି। ସେହିପରି ରେୱାରୀରୁ ୫, ଜିନ୍ଦରୁ ୨୪ ଏବଂ ସୋନିପତରୁ ୯ ଜଣ ଅଛନ୍ତି।

Share