୯ ବର୍ଷରେ ଭଙ୍ଗାଯାଇଛି ୩,୭୨୧ ଘର-ମନ୍ଦିର, ଚିନ୍ତା ବ୍ୟକ୍ତ କଲା ଜାତିସଂଘ…

ଢାକା,୧୯।୧୦: ବାଂଲାଦେଶରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କ ଉପରେ ଅତ୍ୟାଚାର ଜାରି ରହିଛି। ଗତ ସପ୍ତାହରେ ରଙ୍ଗପୁର ଜିଲାରେ ସୃଷ୍ଟି ହୋଇଥିବା ହିଂସା ଏବେ ବ୍ୟାପିବାରେ ଲାଗିଛି। ଇତିମଧ୍ୟରେ ୪୯ ଜଣଙ୍କୁ ଗିରଫ କରାଯାଇଥିବାବେଳେ ସମ୍ବେଦନଶୀଳ ଏବଂ ଉତ୍ତେଜନାପୂର୍ଣ୍ଣ ଅଞ୍ଚଳରେ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି।

ହିନ୍ଦୁଙ୍କ ଉପରେ ଅତ୍ୟାଚାର ନେଇ ଜାତିସଂଘ ପକ୍ଷରୁ ଚିନ୍ତା ବ୍ୟକ୍ତ କରାଯାଇଛି। ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ସରକାର ପକ୍ଷରୁ ଘଟଣାର ନିରପେକ୍ଷ ଯାଞ୍ଚ୍‌ କରାଯିବା ଲାଗି ଜାତିସଂଘ ପକ୍ଷରୁ କୁହାଯାଇଛି। ବାଂଲାଦେଶରେ ଅବସ୍ଥାପିତ ଜାତିସଂଘର ଆବାସିକ କୋର୍ଡିନେଟର ମିୟା ସେପ୍ପୋ ହିଂସା ନେଇ ସୋସିଆଲ ମିଡ଼ିଆରେ ଅପଲୋଡ୍‌ କରାଯାଉଥିବା କଣ୍ଟେଟ୍‌ରେ ଆପତ୍ତିଜନକ ମନ୍ତବ୍ୟ ଦିଆଯାଉଥିବା କହିଛନ୍ତି। ଏହା ଦେଶର ସାମ୍ବିଧାନିକ ମୂଲ୍ୟବୋଧର ବିପରୀତ ବୋଲି ସେ ପ୍ରକାଶ କରିଛନ୍ତି।

ବାଂଲାଦେଶର ଏନ୍‌ ଓ ସାଲିଶ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଗତ ୯ ବର୍ଷ ମଧ୍ୟରେ ଦେଶରେ ୩,୭୨୧ ହିନ୍ଦୁଙ୍କ ଘର ଏବଂ ମନ୍ଦିର ଭଙ୍ଗାଯାଇଛି। ଏଥିରୁ ଜଣାପଡୁଛି ଯେ, ପ୍ରତିବର୍ଷ ଏଭଳି ୪୧୩ ଘଟଣା ଘଟିଛି।

Share