ନୂଆଦିଲ୍ଲୀ, ୧୬।୧: ଭୂସ୍ଖଳନ ପାଇଁ ଉତ୍ତରାଖଣ୍ଡର ଜୋଷୀମଠବାସୀଙ୍କୁ ବହୁ କ୍ଷତି ସହିବାକୁ ପଡ଼ିଛି। ଦିନ ବିତିବା ସାଙ୍ଗକୁ ଏହି କ୍ଷୁଦ୍ର ସହର ଧୀରେ ଧୀରେ ମାଟି ତଳକୁ ଦବିବାରେ ଲାଗିଛି। ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ବର୍ଷ ୨୦୧୫ରୁ ୨୦୨୨ ମଧ୍ୟରେ ଦେଶର ବିଭିନ୍ନ ପ୍ରାନ୍ତରେ ୩,୭୮୨ ଭୂସ୍ଖଳନ ହୋଇଛି।
ଭାରତ ପକ୍ଷରୁ କରାଯାଇଥିବା ଭୌଗୋଳିକ ସର୍ଭେ ଅନୁସାରେ ଦେଶର ବରଫାବୃତ ଅଞ୍ଚଳକୁ ଛାଡ଼ିଦେଲେ ପାଖାପାଖି ୧୨.୬% (୦.୪୨ ନିୟୁତ ସ୍କୋୟାର କି.ମି.) ଅଞ୍ଚଳରେ ଭୂସ୍ଖଳନର ବିପଦ ରହିଛି। ଏଥିରୁ ୦.୧୮ ନିୟୁତ ସ୍କୋୟାର କି.ମି. ଅଞ୍ଚଳ ଉତ୍ତର-ପୂର୍ବ ହିମାଳୟ କ୍ଷେତ୍ରରେ ଆସୁଥିବାବେଳେ ଦାର୍ଜିଲିଂ, ସିକିମ୍ ମଧ୍ୟ ଏଥିରେ ସାମିଲ ଅଛି।
ସେହିପରି ୦.୧୪ ନିୟୁତ ସ୍କୋୟାର କି.ମି. ଉତ୍ତର-ପୂର୍ବ ହିମାଳୟରେ, ୦.୦୦୯ ନିୟୁତ ସ୍କୋୟାର କି.ମି. ପଶ୍ଚିମ ଘାଟ ଓ କୋଙ୍କଣ ପାହାଡ଼ରେ ଥିବାବେଳେ ଆନ୍ଧ୍ରପ୍ରଦେଶ ଅରୁକୁର ପୂର୍ବାଞ୍ଚଳ ଘାଟରେ ଭୂସ୍ଖଳନର ଆଶଙ୍କ ରହିଛି। ହିମାଳୟର ଅଧିକାଂଶ ଭୂଖଣ୍ଡରେ ଭୂସ୍ଖଳନ ଏବଂ ଭୂକମ୍ପର ଡର ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେବେ ଏହାର ମୁକାବିଲା ପାଇଁ ସରକାର ପୂର୍ବ ପ୍ରସ୍ତୁତି କରିବା ଆବଶ୍ୟକ ବୋଲି ବିଶେଷଜ୍ଞ ନିଜ ମତ ପ୍ରକାଶ କରିଛନ୍ତି। ମାତ୍ରାଧିକ ବର୍ଷା ସାଙ୍ଗକୁ ମାଟିକୁ ହାଣି ସ୍ଲୋପ୍ ତିଆରି କରିବା ଏବଂ ଡ୍ରେନେଜ୍କୁ ବ୍ଲକ୍ କରି ରଖିବା ଭୂସ୍ଖଳନର ମୁଖ୍ୟ କାରଣ। ଭୂସ୍ଖଳନ ଓ ହିମସ୍ଖଳନ ଦ୍ୱାରା ହିମାଳୟ ପର୍ବତାଞ୍ଚଳର ୧୫% ପ୍ରଭାବିତ ହେବ ବୋଲି ଜାତୀୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ (ଏନ୍ଡିଏମ୍ଏ) କହିଛି।
ଦାର୍ଜିଲିଂ, ସିକିମ୍, ମିଜୋରାମ, ତ୍ରିପୁରା, ମଣିପୁର, ଆସାମ, ନାଗାଲାଣ୍ଡ ଏବଂ ଅରୁଣାଚଳ, ପ୍ରଦେଶରେ ଭୂକମ୍ପଜନିତ ସମସ୍ୟା ଦୀର୍ଘଦିନ ଧରି ଲାଗିରହିଛି। ନ୍ୟାଶନାଲ ଏନ୍ଭାଇରନମେଣ୍ଟାଲ ରିସର୍ଚ୍ଚ କାଉନ୍ସିଲ୍ (ଏନ୍ଇଆର୍ସି) ଅଧୀନରେ ଭାରତ ଏବଂ ବ୍ରିଟେନ୍ ଭୌଗୋଳିକ ସର୍ଭେ (ବିଜିଏସ୍) ମିଳିତ ଭାବେ ଏହି ଗବେଷଣା ଜାରି ରଖିଛନ୍ତି।