ମାସେ ୨୦ଦିନରେ ୩୮.୩୪ ଲକ୍ଷ ଜରିମାନା ଆଦାୟ

ଭୁବନେଶ୍ୱର,୨୨ା୬(ସତ୍ୟଜିତ୍‌ ରାଉତ)କମିଶନରେଟ ପୋଲିସ ଦ୍ୱାରା ଭୁବନେଶ୍ୱରରେ ଜାରି ରହିଥିବା ’ସେଫ୍‌ ସିଟି ଡ୍ରାଇଭ’ ଅଭିଯାନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ବେଆଇନ ନିଶା କାରବାର, ସର୍ବସାଧାରଣରେ ମଦ୍ୟପାନ ଆଦି ଅସାମାଜିକ କାର୍ଯ୍ୟ କରି ‘ଓଡ଼ିଶା ଅର୍ବାନ ପୋଲିସ୍‌ ଆକ୍ଟ’ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କଠୁ ଜରିମାନା ଆଦାୟ କରୁଛି ପୋଲିସ। ତେବେ ଗତ ମେ ମାସରୁ ଜୁନ ୨୦ ମଧ୍ୟରେ ୭ ହଜାର ୬୬୮ ଜଣ ବ୍ୟକ୍ତି ଏହି ନିୟମ ଉଲଙ୍ଘନ କରି ୩୮ ଲକ୍ଷ ୩୪ ହଜାର ଜରିମାନା ଗଣିଛନ୍ତି। ଜରିମାନା ଗଣିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଖାରବେଳନଗର ଥାନା ଅଞ୍ଚଳରେ ସର୍ବାଧିକ ୯୨୯ ଜଣ ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ରିପୋର୍ଟ ଅନୁଯାୟୀ, ମେ’ ମାସରେ ଭୁବନେଶ୍ୱର ସହରାଞ୍ଚଳ ଜିଲା ପୋଲିସର ବିଭିନ୍ନ ଥାନା ଅଞ୍ଚଳରେ ୪ ହଜାର ୮୧୩ ଜଣ ଧରାପଡ଼ିଛନ୍ତି। ସେମାନଙ୍କଠାରୁ ମୋଟ ୨୪ ଲକ୍ଷ ୬ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ସେଥିମଧ୍ୟରୁ ଖାରବେଳନଗର ଥାନା ପକ୍ଷରୁ ସର୍ବାଧିକ ୫୬୦ ଜଣ ଆଇନ ଉଲଙ୍ଘନକାରୀ ବ୍ୟକ୍ତିଙ୍କଠୁ ୨ ଲକ୍ଷ ୮୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିପରି ଜୁନ ୧ରୁ ୨୦ ମଧ୍ୟରେ ଭୁବନେଶ୍ୱରରେ ୨ ହଜାର ୮୫୫ ଜଣ ବ୍ୟକ୍ତି ମୋଟ ୧୪ ଲକ୍ଷ ୨୭ ହଜାର ୫୦୦ ଟଙ୍କା ଜରିମାନା ଗଣିଛନ୍ତି। ଏହି ସମୟରେ ଖାରବେଳନଗର ଥାନା ପୋଲିସ ସର୍ବାଧିକ ୩୬୯ ଆଇନ ଉଲଙ୍ଘନକାରୀଙ୍କଠୁ ୧ ଲକ୍ଷ ୮୪ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରିଛି।
ତେବେ ଭୁବନେଶ୍ୱରରେ ଅପରାଧ ରୋକିବା ସହ ସହରକୁ ସୁରକ୍ଷିତ ରଖିବାକୁ ଏହି ଅଭିଯାନ ଦ୍ୱାରା ବିଭିନ୍ନ ସ୍ଥାନରେ ଚାଲୁଥିବା ଖଟି, ସର୍ବସାଧାରଣରେ ନିଶା ସେବନ କରୁଥିବା ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖୁଛି ପୋଲିସ। ତେବେ ପୂର୍ବରୁ ଜାରି ହୋଇଥିବା ହ୍ବାଟ୍ସଆପ୍‌ ନମ୍ବର (୭୦୭୭୭୯୮୧୧୧) ଜରିଆରେ ନିଶା କାରବାର ଓ ଆପରାଧିକ କାର୍ଯ୍ୟାକଳାପର ସୂଚନା ଦେବା ପାଇଁ କୁହାଯାଇଛି। ସୂଚନାଦାତାଙ୍କ ପରିଚୟ ଗୋପନ ରଖାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Share