ମାଓବାଦୀ ସାମଗ୍ରୀ ସହ ୩୮ ଲକ୍ଷ ଟଙ୍କା ଜବତ

ମାଲକାନଗିରି,୧୩ା୮(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ଗରିଆବନ୍ଧ ଏବଂ ଧମତରି ପୋଲିସ ମଙ୍ଗଳବାର ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଓ ବିସ୍ଫୋରକ ସହ ୩୮ ଲକ୍ଷ ଟଙ୍କା ଜବତ କରିଛି। ଛତିଶଗଡ ଗରିଆବନ୍ଧ ଓ ଧମତରି ପୋଲିସ ଏବଂ ସିଆରପିଏଫ୍‌ ଯବାନଙ୍କ ପକ୍ଷରୁ ଗତ ୧୦ ତାରିଖରୁ ଛୋଟେ ଗବରା ଏବଂ ପେଣ୍ଡ୍ରା ଜଙ୍ଗଲରେ ତଲାସି ଆରମ୍ଭ ହୋଇଥିଲା। ଦୁଇ ଦିନଧରି ଜାରି ରହିଥିବା ତଲାସିରେ ମାଓବାଦୀମାନେ ମାଟି ତଳେ ଲୁଚାଇଥିବା ଡମ୍ପକୁ ପୋଲିସ ଟିମ୍‌ ଠାବ କରିଥିବା ବେଳେ ସେଥିରୁ ୩୮ ଲକ୍ଷ ଟଙ୍କା ଜବତ କରାଯାଇଛି। ଏଥିସହ ୨୩ ବିଜିଏଲ, ୨ଟିଫିନ୍‌ ବୋମା, ୧୩ ଡେଟୋନେଟର, ଫିଉଜ୍‌ ତାର, ୨କେଜି ବାରୁଦ, ୟୁରିଆ, ୨ ଫ୍ଲାସ ଲାଇଟ୍‌, ୩ ମଲ୍ଟି ମିଟର, ସେନ୍ସର ରିମୋଟ, ମାଓବାଦୀ ପୋଷାକ, କଳା କପଡା ଏବଂ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଜବତ କରିଥିଲେ। ଏହା ପରେ ଏହି ଅଞ୍ଚଳରେ ତଲାସି ଅଭିଯାନକୁ ଜୋରଦାର କରାଯାଇଥିବା ସୂଚନା ମିଳିଛି ।

Share