Categories: ଖେଳ

୪ ବର୍ଷରେ ୩୯ରୁ ୩୮ ମ୍ୟାଚ୍‌ ଜିତିଛି ଚାମ୍ପିୟନ ଅଷ୍ଟ୍ରେଲିଆ

ଖ୍ରୀଷ୍ଟଚର୍ଚ୍ଚ,୩।୪: ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳ ରେକର୍ଡ ସପ୍ତମ ଥର ପାଇଁ ଦିନିକିଆ ବିଶ୍ୱକପ୍‌ ହାସଲ କରିଛି। ମେଗ ଲାନ୍ନିଂଙ୍କ ନେତୃତ୍ୱାଧୀନ ଦଳ ରବିବାର ୭୧ ରନ୍‌ରେ ଇଂଲଣ୍ଡକୁ ହରାଇ ଦେଇଛି। ଆଇସିସି ମହିଳା ବିଶ୍ୱକପ୍‌ ଫାଇନାଲରେ ଆଲିସା ହେଲିଙ୍କ ରେକର୍ଡ ୧୭୦ ରନ୍‌ର ଇନିଂସ ଯୋଗୁ ଅଷ୍ଟ୍ରେଲିଆ ୫ ଉଇକେଟ କ୍ଷତିରେ ୩୫୬ ରନ୍‌ କରିଥିଲା। ପରେ ଆଲାନ କିଙ୍ଗ ଏବଂ ଜେସ ଜୋନାସେନ ୬ ଉଇକେଟ ନେଇ ଇଂଲଣ୍ଡକୁ ୨୮୫ ରନ୍‌ରେ ରୋକି ଦେଇଥିଲେ।

ଏହି ଚାମ୍ପିୟନ ଅଷ୍ଟ୍ରେଲିଆ ଦଳ କେବଳ ବିଶ୍ୱକପ୍‌ରେ ଭଲ ପ୍ରଦର୍ଶନ କରିଛି ତାହା ନୁହେଁ। ମେଗ ଲାନ୍ନିଂଙ୍କ ଦଳ ଗତ ୪ ବର୍ଷ ହେଲା ପ୍ରଦର୍ଶନ କରିଆସୁଛି। ୨୦୧୭ ଠାରୁ ଅଷ୍ଟ୍ରେଲିଆ ୩୯ ଦିନିକିଆ ମ୍ୟାଚ୍‌ ଖେଳିଥିବା ବେଳେ ୩୮ ମ୍ୟାଚ୍‌ରେ ବିଜୟୀ ହୋଇଛି। ୨୦୧୭ ଆଇସିସି ବିଶ୍ୱକପ୍‌ ସେମିଫାଇନାଲରେ ଭାରତ ଠାରୁ ପରାଜିତ ହେବା ପରେ ଅଷ୍ଟ୍ରେଲିଆ ଲଗାତାର ୨୬ ମ୍ୟାଚ୍‌ ଜିତି ରିକି ପଣ୍ଟିଂଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ପୁରୁଷ ଦଳର ରେକର୍ଡ ଭାଙ୍ଗିଥିଲା। ଏହି ଅପରାଜେୟ ଧାରାକୁ ୨୦୨୧ରେ ଭାଙ୍ଗିଥିଲା ଭାରତୀୟ ଦଳ। ତା’ ପରଠୁ ଦଳ ପୁଣି ଥରେ ଲଗାତାର ୧୨ ମ୍ୟାଚ୍‌ ଜିତିଛି। ଏଥିରେ ଚଳିତ ବିଶ୍ୱକପ୍‌ର ୯ ମ୍ୟାଚ୍‌ ମଧ୍ୟ ସାମିଲ ରହିଛି।

କେବଳ ଦିନିକିଆ ଫର୍ମାଟ ନୁହେଁ ଟି୨୦ରେ ମଧ୍ୟ ଅଷ୍ଟ୍ରେଲିଆ ମହିଳା ଦଳ ତା’ର ଅପରାଜେୟ ଧାରା ବଜାୟ ରଖିଛି। ୨୦୧୭ ପରଠାରୁ ଅଷ୍ଟ୍ରେଲିଆ ଦୁଇ ଥର (୨୦୧୮ ଏବଂ ୨୦୨୧) ଟି୨୦ ବିଶ୍ୱକପ୍‌ ହାତେଇଛି।

Share