ରାଜ୍ୟରେ ପୁଣି ୩୮୬ କରୋନା ପଜିଟିଭ ଚିହ୍ନଟ: ୫ ମୃତ

ଭୁବନେଶ୍ୱର, ୯।୧୨(ବ୍ୟୁରୋ): ରାଜ୍ୟରେ ବୁଧବାର ପୁଣି ୩୮୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫ ଜଣଙ୍କ ଜୀବନ ଯାଇଛି। ନୂଆ ପଜିଟିଭଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୨,୨୯୯ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୨୩ ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୬୩ ଲୋକାଲ କେସ୍‌ ରହିଛି।

ଖୋର୍ଦ୍ଧାରୁ ସର୍ବାଧିକ ୫୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୪୭, ମୟୂରଭଞ୍ଜରୁ ୩୧, ଅନୁଗୋଳରୁ ୨୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ପୁରୀରୁ ୨୫, ବଲାଙ୍ଗୀର, କଟକରୁ ୨୨ ଲେଖାଏ , ବାଲେଶ୍ୱର, ବରଗଡ଼ ୨୦ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମ୍ବଲପୁରରୁ ୧୭, କଳାହାଣ୍ଡିରୁ ୧୩, ନୂଆପଡ଼ା- କେନ୍ଦ୍ରାପଡ଼ାରୁ ୧୨, ଜଗତସିଂହପୁର, ଝାରସୁଗୁଡ଼ା କେନ୍ଦୁଝରରୁ ୭, ଗଜପତିରୁ ୪, ଯାଜପୁର, ନୟାଗଡ଼ରୁ ୩ ଲେଖାଏ , ସୋନପୁର, ରାୟଗଡ଼ା, କନ୍ଧମାଳ, ଗଜପତିରୁ ୨ ଲେଖାଏ, ମାଲକାନଗିରିରୁ ୫ ଜଣ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୩୨୨୨୯୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୪୮୭ଟି ଆକ୍ଟିଭ କେସ୍‌ ରହିଥିବା ବେଳେ ୩୧୬୯୭୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ସେହିପରି ୫ ନୂଆ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୭୮୯ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share