କାନବେରା,୧୯।୧୧: ଅଷ୍ଟ୍ରେଲିଆ ସୈନ୍ୟ ଅନ୍ୟାୟ ଭାବେ ୩୯ ଜଣ ଆଫଗାନିସ୍ତାନ ନାଗରିକଙ୍କୁ ହତ୍ୟା କରିଥିଲେ। ଗୁରୁବାର ଏସମ୍ପର୍କରେ ଅଷ୍ଟ୍ରେଲିଆ ପ୍ରତିରକ୍ଷା ବାହିନୀ ମୁଖ୍ୟ ଅଙ୍ଗସ କ୍ୟାମ୍ପ୍ବେଲ୍ ସୂଚନା ଦେଇଛନ୍ତି। ୨୦୦୫ରୁ ୨୦୧୬ ମଧ୍ୟରେ ଅଷ୍ଟ୍ରେଲିଆ ସୈନ୍ୟ ଏଭଳି କରିଥିବା ସେ କହିଛନ୍ତି। ସୈନ୍ୟମାନେ ଆଇନକୁ ନିଜ ହାତକୁ ନେଇ ଅପରାଧ କରିଥିବା ସେ ପ୍ରକାଶ କରିଛନ୍ତି। ଏନେଇ ଆଫଗାନିସ୍ତାନର ଲୋକଙ୍କ ନିକଟରେ କ୍ଷମା ପ୍ରାର୍ଥନା କରାଯାଉଛି ବୋଲି କ୍ୟାମ୍ପବେଲ୍ କହିଛନ୍ତି। ଏନେଇ ୪୬୫ ପୃଷ୍ଠାର ତଦନ୍ତ ରିପୋର୍ଟ ଦାଖଲ କରାଯାଇଥିବା ସେ କହିଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ୧୯ ଜଣଙ୍କୁ ଅଷ୍ଟ୍ରେଲିଆ ଫେଡେରାଲ ପୋଲିସ ବିଭାଗକୁ ହସ୍ତାନ୍ତର କରାଯିବା ସହିତ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଇଛି। ସୂଚନାଯୋଗ୍ୟ, ୨୦୧୬ରେ ଏହାର ଯାଞ୍ଚ୍ ଆରମ୍ଭ ହୋଇଥିଲା। ଅଷ୍ଟ୍ରେଲିଆର ୨୩ ଜଣ ସ୍ବତନ୍ତ୍ର ସୈନ୍ୟ ବାହିନୀ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଅଣାଯାଇଥିଲା।