ଜୁନ୍‌ରେ ୩୬% ଅଧିକ ବର୍ଷା, ଜୁଲାଇରେ ୨%

ଭୁବନେଶ୍ୱର, ୧୪।୭(ବ୍ୟୁରୋ): ଭୁବନେଶ୍ୱର,୧୩ା୭(ବ୍ୟୁରୋ)-ଦକ୍ଷିଣ ପଶ୍ଚିମ ମୌସୁମୀ ରାଜ୍ୟକୁ ପ୍ରବେଶ କରିବାର ମାସେ ବିତିଗଲାଣି। ହେଲେ ଆଶାନୁରୂପ ବର୍ଷା ମିଳିପାରୁ ନାହିଁ। ଜୁନ୍‌ରେ ମୌସୁୀମ ବର୍ଷା ସ୍ବାଭାବିକଠାରୁ ୩୬ ପ୍ରତିଶତ ଅଧିକ ହୋଇଥିବା ବେଳେ ଜୁଲାଇରେ ତାହା ୨ ପ୍ରତିଶତକୁ ଖସି ଆସିଛି। ଦୁର୍ବଳ ମୌସୁମୀ ଯୋଗୁ ରାଜ୍ୟରେ ବର୍ଷା ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି ହୋଇଛି। ପାଣି ଅଭାବରୁ ଧାନଚାଷରେ ଗୁରୁତର ବାଧା ସୃଷ୍ଟି ହେଲାଣି। ରୁଆ ବେଉଷଣ ବଡ଼ ବର୍ଷାକୁ ଅନାଇ ରହିଛି। ଆସନ୍ତା ୮ ଦିନ ମଧ୍ୟରେ ସେଭଳି ବର୍ଷା ହେବା ସମ୍ଭାବନା ନ ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଭଲ ବର୍ଷା ନ ହେଲେ ଆଗାମୀ ଦିନରେ ଚାଷକାର୍ଯ୍ୟ ଗୁରୁତର ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି।
ରାଜ୍ୟକୁ ଜୁନ୍‌ ୧୧ରେ ମୌସୁମୀ ପ୍ରବେଶ କରିଥିଲା। ଜୁନ୍‌ ମାସ ଶେଷ ସୁଦ୍ଧା ସ୍ବାଭାବିକଠାରୁ ୩୬ ପ୍ରତିଶତ ବର୍ଷା ହୋଇଥିଲା। ଅଧିକାଂଶ ଜିଲାରେ ଭଲ ବର୍ଷା ହୋଇଥିଲା। କେତେକ ଜିଲାରେ ମାତ୍ରାଧିକ ବର୍ଷା ମଧ୍ୟ ରେକର୍ଡ କରାଯାଇଥିଲା। ତେବେ ଜୁଲାଇ ମାସରେ ମୌସୁମୀ ଧୋକା ଦେଇଛି। ଗତ ୧୩ ଦିନ ହେବ ବର୍ଷା ହେଉ ନ ଥିବାରୁ ରାଜ୍ୟର ୧୫ ଜିଲାରେ ମରୁଡ଼ି ଆଶଙ୍କା ସୃଷ୍ଟି ହେଲାଣି। ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଅନୁଗୋଳ ଜିଲାରେ ଜୁନ୍‌ରେ ଭଲ ବର୍ଷା ହୋଇଥିବା ବେଳେ ଜୁଲାଇ ଦ୍ୱିତୀୟ ସପ୍ତାହରେ ୩୨ ପ୍ରତିଶତ କମ୍‌ ବର୍ଷା ହୋଇଛି। ସେହିପରି ବଲାଙ୍ଗୀର ଜିଲାରେ ୨୪ ପ୍ରତିଶତ କମ୍‌ ବର୍ଷା ହୋଇଥିବା ବେଳେ ବରଗଡ଼ ୨୪, ବାଲେଶ୍ୱର ୨୯, କଟକ ୪୮, ଦେବଗଡ଼ ୫୦, ଢେଙ୍କାନାଳ ୩୩, କଳାହାଣ୍ଡି ୨୧, ଖୋର୍ଦ୍ଧା ୩୯, କେନ୍ଦୁଝର ୩୫, ମୟୂରଭଞ୍ଜ ୨୮, ନୂଆପଡ଼ା ୩୩, ପୁରୀ ୩୭, ସମ୍ବଲପୁର ୩୨ ଏବଂ ସୁବର୍ଣ୍ଣପୁର ୪୫ ପ୍ରତିଶତ କମ୍‌ ବର୍ଷା ହୋଇଛି। ତେବେ ଜୁନ୍‌ ପହିଲାରୁ ଜୁଲାଇ ୧୩ ତାରିଖ ମଧ୍ୟରେ ରାଜ୍ୟରେ ୩୪୭.୧ ମିଲିମିଟର ବର୍ଷା ହେବାକୁ ଥିବା ବେଳେ ହୋଇଛି ୩୫୫.୪ ମିଲିମିଟର। ତେବେ ଚଳିତ ବର୍ଷ ମାତ୍ର ଗୋଟିଏ ଲଘୁଚାପ ଜୁନ୍‌ ମାସରେ ହୋଇଥିଲା। ଜୁଲାଇ ଅଧା ହେବାକୁ ବସିଥିବା ବେଳେ ଲଘୁଚାପର କୌଣସି ଆକାର ଜଣାପଡୁ ନାହିଁ। ତେବେ ବଙ୍ଗୋପସାଗରରୁ ଜଳୀୟ ବାଷ୍ପ ସ୍ଥଳଭାଗକୁ ଆସୁଥିବାରୁ ରାଜ୍ୟର କେତେକ ସ୍ଥାନରେ ବର୍ଷାହେବା ସମ୍ଭାବନା ରହିଛି।

Share