Categories: ଜାତୀୟ

ଅତ୍ୟାବଶ୍ୟକ ତାଲିକାରେ ୩୯ ନୂଆ ଔଷଧ…

ନୂଆଦିଲ୍ଲୀ,୪।୯: ଅତ୍ୟାବଶ୍ୟକ ଔଷଧ ତାଲିକାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେତେକ ପରିବର୍ତ୍ତନ ଆଣାଯାଇଛି। ଏହା ସହିତ ୩୯ ଟି ନୂଆ ଔଷଧକୁ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ବହୁ ପରିମାଣରେ ବ୍ୟବହୃତ ହେଉଥିବା ଏହି ସମସ୍ତ ଔଷଧର ମୂଲ୍ୟ ହ୍ରାସ କରିବା ଏବଂ ରୋଗୀଙ୍କୁ ଏକ ନିର୍ଦ୍ଦିଷ୍ଟ ମୂଲ୍ୟରେ ଉପଲବ୍ଧ କରାଇବା ସରକାରଙ୍କ ଉଦ୍ଦେଶ୍ୟ। ସଂଶୋଧିତ ତାଲିକାରେ ଯୋଡି ହୋଇଥିବା ନୂଆ ଔଷଧ ଗୁଡ଼ିକ ମଧ୍ୟରେ କର୍କଟ, ଡାଇବେଟିସ୍‌, ଯକ୍ଷ୍ମା ଏବଂ ଏଚ.ଆଇ.ଭି ଭଳି ଗୁରୁତର ରୋଗ ଏବଂ କେତେକ ଆଣ୍ଟିଭାଇରାଲ ଔଷଧକୁ ଅନ୍ତର୍ଭୁକ୍ତ କରାଯାଇଛି।

ସେହିପରି ତାଲିକାରୁ ୧୬ ଟି ଔଷଧମକୁ ହଟାଇ ଦିଆଯାଇଛି। ଏବେ ଏହି ତାଲିକାରେ ୩୯୯ଟି ଜରୁରୀ ଔଷଧ ରହିଛି। ଏହା ପୂର୍ବରୁ ଏଥିରେ ୩୭୬ ଔଷଧର ନାମ ରହିଥିଲା। ତାଲିକାରେ ଥିବା ସମସ୍ତ ଔଷଧ ପାଇଁ ସରକାରଙ୍କ ପ୍ରାସ୍ତ କ୍ୟାପ୍‌ ଲଗାଯାଇଥାଏ। ଯାହା ଦ୍ୱାରା ରୋଗୀଙ୍କୁ ଅତି କମ ମୂଲ୍ୟରେ ଔଷଧ ଉପଲବ୍ଧ କରାଯାଇଥାଏ।

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ର ବିଶେଷଜ୍ଞ କମିଟି ଦ୍ୱାରା ଏହି ସଂଶୋଧିତ ତାଲିକା ପ୍ରସ୍ତୁତ କରାଯାଇଥିଲା। ପରେ ତାଲିକାକୁ ସ୍ବାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡବ୍ୟଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସ୍ବୀକୃତି ଲାଭ କରିବା ପରେ ସୁଲଭ ଔଷଧ ଏବଂ ସ୍ବାସ୍ଥ୍ୟ ଉତ୍ପାଦ ଷ୍ଟାଣ୍ଡିଂ କମିଟି ଏହାର ମୂଲ୍ୟାଙ୍କନ କରିବ। ଜାତୀୟ ଫାର୍ମାସ୍ୟୁଟିକାଲ ମୂଲ୍ୟ ନିର୍ଦ୍ଧାରଣ କର୍ତ୍ତୃପକ୍ଷ ଏହି ଔଷଧଗୁଡିକର ଅନ୍ତିମ ମୂଲ୍ୟ ସ୍ଥିର କରିବେ। ଏହାର ମୁଖ୍ୟ ହେଉଛନ୍ତି ନୀତି ଆୟୋଗର ସ୍ବାସ୍ଥ୍ୟ ସଦସ୍ୟ ଡ. ଭି.କେ. ପଲ।

Share