ଇସ୍ରାଏଲ ଆକ୍ରମଣରେ ଏବେ ପର୍ଯ୍ୟନ୍ତ ୩୯୦୦ ପିଲାଙ୍କ ମୃତ୍ୟୁ, ପ୍ରତି ୧୦ ମିନିଟରେ ଜଣଙ୍କର ଯାଉଛି ଜୀବନ

ତେଲ ଆଭିବ,୫।୧୧: ହମାସ ଦ୍ୱାରା ପରିଚାଳିତ ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଜରୁରୀକାଳୀନ ଚିକିତ୍ସା କେନ୍ଦ୍ର ଅଭିଯୋଗ କରିଛି ଯେ ଇସ୍ରାଏଲ ଆକ୍ରମଣରେ ପ୍ରତି ୧୦ମିନିଟରେ ଜଣେ ଶିଶୁ ମୃତ୍ୟୁବରଣ କରୁଛନ୍ତି ଏବଂ ଦୁଇଜଣ ଆହତ ହେଉଛନ୍ତି। ଜରୁରୀକାଳୀନ କେନ୍ଦ୍ର ନିର୍ଦ୍ଦେଶକ ମୋତାସେମ ସାଲା ରବିବାର ଏକ ବିବୃତ୍ତିରେ କହିଛନ୍ତି ଯେ ଇସ୍ରାଏଲ ଗାଜା ଉପରେ ଆକ୍ରମଣ ଆରମ୍ଭ କରିବା ଦିନଠାରୁ ୩,୯୦୦ ଶିଶୁଙ୍କର ମତ୍ୟୁ ଘଟିଛି ଏବଂ ୮,୦୬୭ ଜଣ ଆହତ ହୋଇଛନ୍ତି।
୧,୨୫୦ପିଲା ନିଖୋଜ ଅଛନ୍ତି। ବିବୃତ୍ତିରେ ଏହା ମଧ୍ୟ କୁହାଯାଇଛି ଯେ ଇସ୍ରାଏଲ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ୭୦ପ୍ରତିଶତ ଶିଶୁ, ମହିଳା ଏବଂ ବୃଦ୍ଧ। ଅକ୍ଟୋବର ୭ରେ ହମାସ ଆକ୍ରମଣ ପରଠାରୁ ଇସ୍ରାଏଲ ଗାଜା ଉପରେ ବୋମା ମାଡ କରୁଛି। ହମାସ ଆକ୍ରମଣରେ ୧,୪୦୦ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଅତି କମରେ ୨୩୯ ଜଣଙ୍କୁ ବନ୍ଧକ କରି ଅପହରଣ କରାଯାଇଥିଲା।

ଅନ୍ୟପକ୍ଷରେ ଗାଜା ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ରବିବାର ସକାଳେ ଇସ୍ରାଏଲର ଯୁଦ୍ଧ ବିମାନ ଗାଜା ଷ୍ଟ୍ରିପରେ ଥିବା ଏକ ଶରଣାର୍ଥୀ ଶିବିର ଉପରେ ଆକ୍ରମଣ କରି ଅତି କମରେ ୪୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି।
ସାଧାରଣ ନାଗରିକଙ୍କୁ ରିଲିଫ ଯୋଗାଇବା ପାଇଁ ଆମେରିକା କିଛି ସମୟ ପାଇଁ ଏହି ଆକ୍ରମଣ ବନ୍ଦ କରିବାକୁ ଇସ୍ରାଏଲକୁ ନିବେଦନ କରିଥିଲା, କିନ୍ତୁ ଗାଜାରେ ହମାସ ଆତଙ୍କବାଦୀଙ୍କୁ ଦମନ କରିବା ପାଇଁ ଇସ୍ରାଏଲ କହିଛି। ଆମେରିକାର ରାଜଧାନୀ ୱାଶିଂଟନ, ଫ୍ରାନ୍ସର ରାଜଧାନୀ ପ୍ୟାରିସ, ଜର୍ମାନୀର ରାଜଧାନୀ ବର୍ଲିନ ଏବଂ ଅନ୍ୟାନ୍ୟ ୟୁରୋପୀୟ ସହରରେ ହଜାର ହଜାର ପାଲେଷ୍ଟାଇନ ସମର୍ଥକ ଗାଜାରେ ଇସ୍ରାଏଲ ବିସ୍ଫୋରଣକୁ ବନ୍ଦ କରିବାକୁ ଦାବି କରିଥିଲେ।

Share