ଦର୍ଶକଙ୍କ ମନକୁ ଛୁଇଁଲା କୃଷ୍ଣଲୀଳା

ପୁରୀ ଅଫିସ,୧୧।୭: ଭୋଳାନାଥ ବିଦ୍ୟାପୀଠ ପରିସରରେ ଚାଲିଛି ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା। ଏଠାରେ ଘରକରଣା, ଖାଦ୍ୟ ସାମଗ୍ରୀ, ବନ୍ୟଜାତ ଦ୍ରବ୍ୟ, ପ୍ରସାଧାନ ସାମଗ୍ରୀ ଆଦି ବିଭିନ୍ନ ଷ୍ଟଲ ପଡ଼ିଛି। ବୁଧବାର ନବମ ଦିନରେ ଏହି ମେଳା ପହଞ୍ଚିଛି। ଅପରାହ୍ନଠାରୁ ମେଳାରେ ଭିଡ଼ ହୋଇଥିଲା। ସନ୍ଧ୍ୟାରେ ମେଳା ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପୁରୀର ନବପ୍ରତିଭା ଅନୁଷ୍ଠାନ ପକ୍ଷରୁ ପରିବେଷିତ ନୃତ୍ୟାଭିନୟ କୃଷ୍ଣଲୀଳା ଦର୍ଶକଙ୍କ ମନକୁ ଛୁଇଁଥିଲା। ସେହିପରି ପୁରୀର ଦୟାନିଧି ସଙ୍ଗୀତ ସୁଧାର କଳାକାରମାନେ ଗୁରୁ ପ୍ରକାଶ କୁମାର ରଥଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ କଳାଠାକୁରଙ୍କ ଉଦ୍ଦେଶ୍ୟରେ ଭକ୍ତି ନୈବେଦ୍ୟ ଅର୍ପଣ କରିଥିଲେ। ମେଘନା, ସସ୍ମିତା, ସଲୋନୀ, ସମ୍ପ୍ରତା, ସୁଚିସ୍ମିତା, ଆଦ୍ୟାଶା, ଅନନ୍ୟା, ଭାଲେଣ୍ଟିନା ପ୍ରମୁଖ ଭକ୍ତି ସଙ୍ଗୀତ ପରିବେଷଣ କରି ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ପରେ ପରେ ମୂକ ଓ ବଧିର ପିଲାମାନେ ନୃତ୍ୟ ପରିବେଷଣ କରିଥିଲେ।
ୟୁପିର ବେଡ୍‌ ଲାଇଟ୍‌
ପ୍ରଥମଥର ପଲ୍ଲିଶ୍ରୀ ମେଳାକୁ ଆସିଛନ୍ତି ଶିବମ୍‌। ସେ ବେଡ୍‌ ଲାଇଟ୍‌, ଫ୍ଲାୱାର ବେସ୍‌, ଟେବୁଲ ଲ୍ୟାମ୍ପ, କ୍ୟାଣ୍ଡେଲ ଷ୍ଟାଣ୍ଡ ଭଳି ଏକାଧିକ ସାମଗ୍ରୀ ଆଣିଛନ୍ତି। ବେଡ୍‌ ଲାଇଟ୍‌ ଅତି ଆକର୍ଷଣୀୟ ହୋଇଛି। ଏହାର ପ୍ରସ୍ତୁତି ସମ୍ପର୍କରେ ଶିଭମ୍‌ କୁହନ୍ତି, କାଚକୁ ବିଭିନ୍ନ ଆକୃତିର କରାଯାଇଥାଏ। ଯେମିତି କି ବେଡ୍‌ ଲାଇଟ୍‌, ଫ୍ଳାୱାର ବେସ୍‌ ଭଳି ଏହାର ସେପ୍‌ କରାଯାଇ ଏହା ଉପରେ ଧଳା ସିମେଣ୍ଟ ପ୍ଲାଷ୍ଟର ଲଗାଯାଏ। ପରେ ବିଭିନ୍ନ ରଙ୍ଗର କାଚକୁ ଛୋଟ ଛୋଟ ଆକୃତିର କରାଯାଇ ଏହା ଉପରେ ସେଟ୍‌ କରାଯାଏ। ଭିତରେ ବଲ୍‌ବ ଜଳିଲେ ଏହା ସୁନ୍ଦର ଲାଗେ।
ଇଏ କ’ଣ ସ୍ବଚ୍ଛ ଭାରତ
ପଲ୍ଲିଶ୍ରୀ ମେଳା ଭିତରକୁ ପ୍ରବେଶ ପାଇଁ ଦୁଇଟି ଫାଟକ ରହିଛି। ମୁଖ୍ୟ ଫାଟକ ଦେଇ ଲୋକେ ଯା ଆସ କରୁଛନ୍ତି। କିନ୍ତୁ ଅନ୍ୟ ଫାଟକରେ ଏତେଟା ଯାଆସ ହେଉ ନାହିଁ। ବୁଧବାର ଜଣେ ଯୁବତୀ ନାକରେ ହାତ ଦେଇ ଏହି ଫାଟକ ବାଟେ ମେଳାକୁ ପ୍ରବେଶ କରୁଥିଲେ। ଦୁର୍ଗନ୍ଧ ଏମିତି ହେଉଥିଲା ଯେ ତାଙ୍କ ସାଥୀରେ ଥିବା ଅନ୍ୟ ଜଣେ ଯୁବତୀ କହୁଥିଲେ ଇଏ କ’ଣ ସ୍ବଚ୍ଛ ଭାରତ। ଏଠାକୁ ଆସିବା କଥା ନୁହେଁ। ସବୁଠୁ ମଜାଦାର ହେଉଛି ଏହି ଫାଟକ କାନ୍ଥରେ ଗାନ୍ଧୀଙ୍କ ଫଟୋ ଥାଇ ସ୍ବଚ୍ଛତା ଉପରେ ଲେଖାଯାଇଛି। ମେଳା ପରିସରରେ ପର୍ଯ୍ୟାପ୍ତ ଶୌଚାଳୟ ବ୍ୟବସ୍ଥା ନ ଥିବାରୁ ଦେଖଣାହାରିମାନେ ଏହି ଫାଟକକୁ ସଂଯୋଗ କରୁଥିବା ରାସ୍ତାର ଉଭୟ ପାର୍ଶ୍ୱରେ ପରିସ୍ରା କରୁଛନ୍ତି। ବ୍ୟବସାୟୀମାନେ ବଳକା ଖାଦ୍ୟ ଏବଂ ଅଇଁଠା ପତ୍ର ମଧ୍ୟ ରାସ୍ତାର ଗୋଟିଏ ପାର୍ଶ୍ୱରେ ଗଦା କରୁଛନ୍ତି। ଏଗୁଡ଼ିକ ସଫା କରାଯାଉ ନ ଥିବାରୁ ପ୍ରବଳ ଦୁର୍ଗନ୍ଧ ହେଉଛି।