ସରିଲା ଯୁକ୍ତ୩ ଆବେଦନ: ୨୫ରେ ପ୍ରଥମ ମେଧା ତାଲିକା

ଭୁବନେଶ୍ୱର, ୧୮।୬(ଅସମାପିକା ସାହୁ):୨୦୨୪-୨୫ ଶିକ୍ଷାବର୍ଷରେ ଯୁକ୍ତ୩ ନାମଲେଖା ନିମନ୍ତେ ସୋମବାର ଆବେଦନ ପ୍ରକ୍ରିୟା ଶେଷ ହୋଇଛି। ୨ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ନାମଲେଖା ପାଇଁ ଆବେଦନ କରିଛନ୍ତି। ସୋମବାର ରାତି ୮ଟା ସୁଦ୍ଧା ୨,୨୯,୮୨୦ ଜଣ ଆବେଦନ କରିଥିବାବେଳେ ୨,୨୭,୮୪୯ ଜଣ ଅନ୍‌ଲାଇନ୍‌ରେ ଫି’ ଦାଖଲ କରିଛନ୍ତି। ୧୮ ରୁ ୧୯ ତାରିଖ ମଧ୍ୟରେ ଛାତ୍ରୀଛାତ୍ର ଆବେଦନ ଫର୍ମରେ ତ୍ରୁଟି ସୁଧାରି ପାରିବେ। ୨୫ ତାରିଖ ଅପରାହ୍ନ ୪ଟାରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ୨୫ରୁ ୨୮ ତାରିଖ ଯାଏ ଛାତ୍ରୀଛାତ୍ର ସ୍ଲାଇଡ୍‌ ଅପ୍‌ସନ ଚୟନ କରିପାରିବେ। ୨୬ରୁ ୨୯ ତାରିଖ ଅପରାହ୍ନ ୫ଟା ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ। ସେହିଭଳି ଜୁଲାଇ ୫ ଅପରାହ୍ନ ୪ଟାରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ୬ରୁ ୯ ତାରିଖ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହି ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ। ଜୁଲାଇ ୧୫ ଅପରାହ୍ନ ୪ଟାରେ ତୃତୀୟ ପର୍ଯ୍ୟାୟ ମେଧା ତାଲିକା ବାହାରିବ ଓ ୧୬ରୁ ୧୯ତାରିଖ ପର୍ଯ୍ୟନ୍ତ ମନୋନୀତ ଛାତ୍ରୀଛାତ୍ର ନାମଲେଖାଇ ପାରିବେ। ଅଗଷ୍ଟ ୧ରୁ ଯୁକ୍ତ୩ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ। ସୂଚନାଯୋଗ୍ୟ, ରାଜ୍ୟରେ ମୋଟ ୧,୦୫୬ଟି ଡିଗ୍ରୀ କଲେଜ ଥିବାବେଳେ ୨,୭୪,୫୦୭ଟି ସିଟ୍‌ ରହିଛି।

Share