ଯୁକ୍ତ୩ ପ୍ରଥମ ମେଧା ତାଲିକା ପ୍ରକାଶ

ଭୁବନେଶ୍ୱର,୨୬ା୬(ଅସମାପିକା ସାହୁ): ୨୦୨୪-୨୫ ଶିକ୍ଷାବର୍ଷରେ ଯୁକ୍ତ୩ ନାମଲେଖା ନିମନ୍ତେ ମଙ୍ଗଳବାର ପ୍ରଥମ ମେଧାବୀ ତାଲିକା ପ୍ରକାଶ ପାଇଛି। ରାଜ୍ୟରେ ମୋଟ ୨,୭୪,୩୩୧ ସିଟ୍‌ ଥିବାବେଳେ ୨,୩୭,୭୯୫ ଜଣ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ମେଧା ତାଲିକାରେ ୧,୭୮,୯୭୬ଜଣ ମନୋନୀତ ହୋଇଛନ୍ତି। ଏଥିରେ ୧,୦୬,୪୧୪ଜଣ ଛାତ୍ରୀ, ୭୨,୫୫୬ଜଣ ଛାତ୍ର ଓ ୬ଜଣ କିନ୍ନର ରହିଛନ୍ତି। କଳା, ବିଜ୍ଞାନ ଏବଂ ବାଣିଜ୍ୟ ଆଦି ତିନୋଟି ବିଭାଗରେ କଟକ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ସର୍ବାଧିକ କଟ୍‌ଅଫ୍‌ ମାର୍କ ରହିଛି। କଳାରେ ସର୍ବାଧିକ କଟ୍‌ଅଫ୍‌ ମାର୍କ ୮୯.୬୭%(ଭୂଗୋଳ) ରହିଥିବା ବେଳେ ଫିଜିକାଲ ସାଇନ୍ସରେ ୯୧.୧୭%, ଜୈବ ବିଜ୍ଞାନରେ ୯୩.୨୦%(ପ୍ରାଣୀ ବିଜ୍ଞାନ) ଏବଂ ବାଣିଜ୍ୟରେ ୮୮.୬୦% କଟ୍‌ ଅଫ୍‌ ଯାଇଛି। ସେପଟେ ଶାସ୍ତ୍ରୀରେ ଶ୍ରୀ ରାଧାମାଧମ ସଂସ୍କୃତ କଲେଜ ସର୍ବାଧିକ କଟ୍‌ଅଫ୍‌ ମାର୍କ ୬୮.୫୭%(ଶାସ୍ତ୍ରୀ) ରହିଛି। ସେଲ୍‌ଫ ଫାଇନାନ୍ସିଂରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ୮୭.୪୦%(ବାୟୋ-ଟେକ୍ନୋଲୋଜି) ଏବଂ ଆଇନ ବିଭାଗରେ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ସର୍ବାଧିକ କଟ୍‌ଅଫ୍‌ ମାର୍କ ୮୧% ଯାଇଛି। ତେବେ ମୋଟ ମନୋନୀତ ଛାତ୍ରୀଛାତ୍ରଙ୍କ ମଧ୍ୟରୁ କଳାରେ ୧,୦୯,୮୫୪ଜଣ ଛାତ୍ରୀଛାତ୍ର ଥିବାବେଳେ ବିଜ୍ଞାନରେ ୪୫,୬୧୪, ବାଣିଜ୍ୟରେ ୧୭,୧୫୬, ଶାସ୍ତ୍ରୀରେ ୩,୫୭୪, ସେଲ୍‌ଫ ଫାଇନାନ୍ସିଂରେ ୨,୬୨୬, ଆଇନରେ ୧୫୨ଜଣ ରହିଛନ୍ତି। ମନୋନୀତ ଛାତ୍ରୀଛାତ୍ର ୨୬ତାରିଖ ସକାଳ ୯ଟାରୁ ୨୯ ତାରିଖ ଅପରାହ୍ନ ୫ଟା ଭିତରେ ନାମଲେଖାଇବେ। ସେହିଭଳି ଜୁଲାଇ ୫ ଅପରାହ୍ନ ୪ଟାରେ ଦ୍ବିତୀୟ ପର୍ଯ୍ୟାୟ ମେଧାବୀ ତାଲିକା ପ୍ରକାଶ ପାଇବ। ୬ ରୁ ୯ ତାରିଖ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ହେବ। ଜୁଲାଇ ୧୫ ଅପରାହ୍ନ ୪ଟାରେ ତୃତୀୟ ପର୍ଯ୍ୟାୟ ମେଧାବୀ ତାଲିକା ପ୍ରକାଶ ପାଇବ ଓ ମନୋନୀତ ଛାତ୍ରୀଛାତ୍ର ୧୬ ରୁ ୧୯ତାରିଖ ଭିତରେ ନାମ ଲେଖାଇପାରିବେ। ଅଗଷ୍ଟ ୧ରୁ ଯୁକ୍ତ୩ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ।

Share