Categories: ଖେଳ

ତୃତୀୟ ଟି୨୦ ଜିତିଲା ଭାରତ: ୨-୧ରେ ସିରିଜ ଆଗୁଆ

ହରାରେ, ୧୦।୭: ହରାରେ ସ୍ପୋଟର୍‌ସ ଗ୍ରାଉଣ୍ଡରେ ବୁଧବାର ଅନୁଷ୍ଠିତ ତୃତୀୟ ଟି୨୦ କ୍ରିକେଟ ମ୍ୟାଚରେ ଭାରତ ୨୩ ରନରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଫଳରେ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୧ରେ ଅଗ୍ରଣୀଲାଭ କରିଛି। ଭାରତ ୨୦ ଓଭରରେ ୪ ଉଇକେଟ ହରାଇ ୧୮୨ ରନ କରିଥିବାବେଳେ ଜିମ୍ବାଓ୍ବେ ୨୦ ଓଭରରେ ୬ ଉଇକେଟ ହରାଇ ୧୫୯ ରନ କରିବାକୁ ସକ୍ଷମ ହୋଇଥିଲା। ୪ ଓଭରରେ ମାତ୍ର ୧୫ ରନ ଦେଇ ୩ଟି ଉଇକେଟ ନେଇଥିବା ଓ୍ବାଶିଂଟନ ସୁନ୍ଦର ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ।

ଟସ୍‌ଜିତି ବ୍ୟାଟିଂ ନେଇଥିବା ଭାରତ ଅଧିନାୟକ ଶୁବମନ ଗିଲ୍‌ ଓ ଯଶସ୍ବୀ ଜୟସ୍ବାଲଙ୍କ ମାଧ୍ୟମରେ ଭଲ ଆରମ୍ଭ କରିଥିଲା। ଦୁହେଁ ଓପନିଂ ଯୋଡ଼ିରେ ୬୭ ରନ ସଂଗ୍ରହ କରିଥିଲେ। ଜୟସ୍ବାଲ ୨୭ ବଲ୍‌ରୁ ୩୬ (୪ ଚୌକା, ୨ ଛକା) ରନକରି ଆଉଟ ହେବାରୁ ଯୋଡ଼ି ଭାଙ୍ଗିଥିଲା। ଗତ ମ୍ୟାଚରେ ଶତକ ହାସଲକାରୀ ଅଭିଷେକ ଶର୍ମା (୧୦ ରନ) ଏଠାରେ ତୃତୀୟ ସ୍ଥାନରେ ବ୍ୟାଟିଂ କରି ବିଫଳ ହୋଇଥିଲେ ହେଁ ଋତୁରାଜ ଗାଏକ୍ୱାଡ୍‌ ୨୮ ବଲ୍‌ରୁ ୪୯ (୪ ଚୌକା, ୩ ଛକା) ରନ କରିବାରୁ ଭାରତ ସ୍କୋର ୧୮୨ରେ ପହଞ୍ଚତ୍ ଯାଇଥିଲା।

ଜିମ୍ବାଓ୍ବେ ପକ୍ଷରୁ ବ୍ଲେସିଂ ମୁଜାରବାନି ଓ ସିକନ୍ଦର ରାଜା ୨ଟି ଲେଖାଏ ଉଇକେଟ ନେଇଥିଲେ। ଜବାବରେ ଜିମ୍ବାଓ୍ବେ ଏକଦା ୩୯ ରନରେ ୫ ଉଇକେଟ ହରାଇଥିଲେ ମଧ୍ୟ ଡିଅନ ମେୟର୍ସଙ୍କ ଅପରାଜିତ ୬୫ ରନ ବଳରେ ୧୫୯ ରନର ସମ୍ମାନଜନକ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ଭାରତୀୟ ବୋଲରଙ୍କ ମଧ୍ୟରେ ଓ୍ବାଶିଂଟନ ସୁନ୍ଦର ୩ଟି, ଆଭେଶ ଖାଁ ୨ଟି ଓ ଖଲିଲ ଅହମଦ ଗୋଟିଏ ଉଇକେଟ ନେଇଥିଲେ।

Share