୧୭ରୁ ତୃତୀୟରୁ ନବମ ଶ୍ରେଣୀ ମିଡ୍‌-ଟର୍ମ ଆସେସ୍‌ମେଣ୍ଟ

ଭୁବନେଶ୍ୱର, ୧୫।୧୧(ବ୍ୟୁରୋ):ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ତୃତୀୟରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ମିଡ୍‌-ଟର୍ମ ଆସେସ୍‌ମେଣ୍ଟ ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ। ଏ ନେଇ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ସୋମବାର ସମସ୍ତ ଜିଲା ଶିକ୍ଷାଧିକାରୀ, ଅତିରିକ୍ତ ଜିଲା ଶିକ୍ଷାଧିକାରୀ(ଏକାଡେମିକ) ଏବଂ ସମଗ୍ର ଶିକ୍ଷାକୁ ଚିଠି ଲେଖିଛନ୍ତି। ୧୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପରୀକ୍ଷା ସଂକ୍ରାନ୍ତରେ ସମସ୍ତ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଜଣାଇବା ପାଇଁ କୁହାଯାଇଛି। ଛାତ୍ରୀଛାତ୍ରଙ୍କ ରେଜଲ୍ଟ ଏକ ପ୍ରୋଗ୍ରେସ କାର୍ଡରେ ଦିଆଯିବ ଏବଂ ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ(ଏଲ୍‌ଆର୍‌ପି) ଡ୍ୟାସ୍‌ବୋର୍ଡରେ ଅପ୍‌ଲୋଡ୍‌ କରାଯିବ। ତେବେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ରକୁ ସୁରକ୍ଷିତ ଭାବେ ରଖିବା ଏବଂ ପରୀକ୍ଷା ସୁପରିଚାଳନାକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ମିଡ୍‌-ଟର୍ମ ଆସେସ୍‌ମେଣ୍ଟ ପ୍ରସ୍ତୁତି ନେଇ ଜିଲାସ୍ତରରେ ଏକ ସମୀକ୍ଷା ବୈଠକ କରିବା ପାଇଁ ପରାମର୍ଶ ଦିଆଯାଇଛି।
ସୂଚନାଯୋଗ୍ୟ, ମିଡ୍‌-ଟର୍ମ ଆସେସ୍‌ମେଣ୍ଟ ତୃତୀୟରୁ ନବମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଇଁ ଅନୁଷ୍ଠିତ ହେବ। ୧୭ ତାରିଖରେ ତୃତୀୟ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଇଁ ଓଡ଼ିଆ ଓ ଚତୁର୍ଥରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଇଂଲିଶ ପରୀକ୍ଷା ହେବାକୁ ଥିବାବେଳେ ୧୮ ତାରିଖରେ ତୃତୀୟରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଗଣିତ ଏବଂ ୧୯ରେ ତୃତୀୟରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଇଭିଏସ୍‌ ଓ ଷଷ୍ଠରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ବିଜ୍ଞାନ ବିଷୟ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ।

Share