Categories: ବାଣିଜ୍ୟ

ପ୍ରତି ଘରେ ଇଣ୍ଟରନେଟ୍‌ ପାଇଁ ଖର୍ଚ୍ଚ ହେବ ୪.୨ ଟ୍ରିଲିୟନ୍‌

ଭୁବନେଶ୍ୱର,୧୫।୫(ଅନୁରାଧା ମହାରଣା): ଭାରତରେ ଡିଜିଟାଲ ବିପ୍ଳବ ଅନେକ କ୍ଷେତ୍ରକୁ ଦ୍ରୁତ ଗତିରେ ଅଗ୍ରଗତି କରିବାରେ ସାହାଯ୍ୟ କରିଛି। ଶସ୍ତାରେ ଉପଲବ୍ଧ ହେଉଥିବା ଡାଟା ଦ୍ୱାରା ଗ୍ରାହକ ମଧ୍ୟ ଉପକୃତ ହୋଇଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରତ୍ୟେକ ଗ୍ରାମକୁ ବ୍ରଡବ୍ୟାଣ୍ଡ ସଂଯୋଗ ପାଇଁ ଉଦ୍ୟମ କରାଯାଉଛି। ଏଥିପାଇଁ ୨୦୩୦ ସୁଦ୍ଧା ପ୍ରାୟ ୪.୨ ଟ୍ରିଲିୟନ ଟଙ୍କା ବିନିଯୋଗ ହେବ। ଏହାଦ୍ୱାରା ନୂତନ ସୁଯୋଗ ମଧ୍ୟ ସୃଷ୍ଟି ହେବ। ଏହି କାର୍ଯ୍ୟରେ ସରକାର ଘରୋଇ କମ୍ପାନୀଗୁଡିକର ସହଯୋଗ ଗ୍ରହଣ କରିବେ।
ବ୍ରଡବ୍ୟାଣ୍ଡ ଇଣ୍ଡିଆ ଫୋରମ ଅନୁଯାୟୀ, ଭାରତରେ ପ୍ରତି ମାସରେ ହାରାହାରି ୧୮୭ ଜିବି ଡାଟା ବ୍ୟବହାର ହେଉଛି। ଆମେରିକାରେ ପ୍ରତି ମାସରେ ୬୪୧ ଜିବି ଡାଟା ବ୍ୟବହାର ହେଉଛି। ବର୍ତ୍ତମାନ ଦେଶରେ ବ୍ରଡବ୍ୟାଣ୍ଡ ବ୍ୟବହାରକାରୀଙ୍କ ସଂଖ୍ୟା ବିଶ୍ୱରେ ହାରାହାରି ଏକ ଚତୁର୍ଥାଂଶ ଅଟେ। ଦେଶରେ କେବଳ ୪ କୋଟି ଘରେ ବ୍ରଡବ୍ୟାଣ୍ଡ ସଂଯୋଗ ଅଛି। ଇଓ୍ବାଇ ଗ୍ଲୋବାଲ ଟିଏମଟି ପକ୍ଷରୁ ମିଳିଥିବା ସୂଚନାନୁସାରେ ଭାରତରେ କେବଳ ୧୩% ଘରେ ବ୍ରଡବ୍ୟାଣ୍ଡ ସଂଯୋଗ ରହିଛି। ଏହି ସଂଖ୍ୟା ୮୦ ପ୍ରତିଶତକୁ ବୃଦ୍ଧି କରାଯାଇପାରିବ। ଦେଶର ୩୦ କୋଟି ଘର ମଧ୍ୟରୁ ପ୍ରାୟ ୨୫ କୋଟି ଘରକୁ ବ୍ରଡବ୍ୟାଣ୍ଡ ସଂଯୋଗ ଯୋଗାଇ ଦିଆଯିବ। ଯେତେ ଶୀଘ୍ର ଏହି କାର୍ଯ୍ୟ କରାଯିବ ସେତେ ଶୀଘ୍ର ଦେଶ ସମଗ୍ର ବିଶ୍ୱରେ ତୃତୀୟ ବୃହତ୍ତମ ଅର୍ଥନୀତି ହେବାର ଲକ୍ଷ୍ୟ ହାସଲ କରିବାକୁ ସମର୍ଥ ହେବ।
ସୂଚନା ଥାଉକି, ଆମେରିକାରେ ୯୨% ଘର, ଚାଇନାରେ ୯୭%, ଜାପାନରେ ୮୪% ଏବଂ ଜର୍ମାନୀରେ ୮୨% ବ୍ରଡବ୍ୟାଣ୍ଡ ସଂଯୋଗ ରହିଛି। ଭାରତରେ ପ୍ରତ୍ୟେକ ଘରକୁ ଇଣ୍ଟରନେଟ ସଂଯୋଗ ପାଇଁ ୪.୨ ଟ୍ରିଲିୟନ ଟଙ୍କା ମଧ୍ୟରୁ ପ୍ରାୟ ୩ ଟ୍ରିଲିୟନ ଟଙ୍କା କେବଳ ଫାଇବର କେବୁଲ ଲଗାଇବାକୁ ଖର୍ଚ୍ଚ ହେବ। ଅନ୍ୟ ଭିତ୍ତିଭୂମି ପାଇଁ ପ୍ରାୟ ୯୫,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ୱାଇଫାଇରେ ପ୍ରାୟ ୯୦୦୦ କୋଟି, ଡାଟା ସେଣ୍ଟରରେ ୧୪,୦୦୦ କୋଟି ଏବଂ ଉପଗ୍ରହ ବ୍ରଡବ୍ୟାଣ୍ଡ ସେବା ପାଇଁ ପ୍ରାୟ ୨୬,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ବ୍ରଡବ୍ୟାଣ୍ଡ ଇଣ୍ଡିଆ ଫୋରମର ସଭାପତି ଟିଭି ରାମଚନ୍ଦ୍ରନଙ୍କ ଅନୁଯାୟୀ ବ୍ରଡବ୍ୟାଣ୍ଡ ଡାଟା ବ୍ୟବହାର ମୋବାଇଲ ଡାଟାର ପ୍ରାୟ ୧୦ ଗୁଣ ଅଧିକ। ଆସନ୍ତା ୬ ବର୍ଷରେ ବାର୍ଷିକ ୨୦% ହାରରେ ବଢ଼ିଲେ ୧୦ କୋଟି ଘରକୁ ବ୍ରଡବ୍ୟାଣ୍ଡ ସଂଯୋଗ ସମ୍ଭବ ହୋଇପାରିବ। ଏହା ସାହାଯ୍ୟରେ ଲକ୍ଷ ଲକ୍ଷ ଲୋକ ମଧ୍ୟ ଚାକିରି ପାଇବେ। ବିଶେଷଜ୍ଞଙ୍କ ଅନୁଯାୟୀ, ସରକାର ଏକ ନର୍ଦ୍ଦିଷ୍ଟ ପରିମାଣରେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟର ମାଗଣା ବ୍ୟବହାରର ସୁବିଧା ପ୍ରଦାନ କରିବା ଉଚିତ, ଯାହାଦ୍ୱାରା ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ଲୋକ ବ୍ରଡବ୍ୟାଣ୍ଡ ସଂଯୋଗ ନେଇପାରିବେ।

Share