ସାଇବର ଡାଟା ଚୋରି ଯୋଗୁ ବର୍ଷକୁ ୪.୨୪ ନିୟୁତ ଡଲାର ଠକେଇ…

ଓ୍ବାଶିଂଟନ,୫।୧୦: ଭାରତ ସମେତ ସାରା ପୃଥିବୀରେ ସାଇବର ଡାଟା ଚୋରି ଯୋଗୁ ବର୍ଷକୁ ୪.୨୪ ନିୟୁତ ଡଲାର ଠକେଇ ହେଉଛି। ଆଇବିଏମ୍‌ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏନେଇ ଉଲ୍ଲେଖ କରାଯାଇଛି। ୨୦୨୦ ତୁଳନାରେ ୨୦୨୧ରେ ଡାଟା ଚୋରିରେ ୧୦ ପ୍ରତିଶତ ବୃଦ୍ଧି ଘଟିଛି। ୨୦୨୦ରେ ଡାଟା ଚୋରିର ମୂଲ୍ୟ ୩.୮୬ ନିୟୁତ ଡଲାର ଥିଲା। ୨୦୧୯ ତୁଳନାରେ ୨୦୨୦ରେ ଡାଟା ଚୋରିରେ ୯.୪ ପ୍ରତିଶତ ବୃଦ୍ଧି ଘଟିଥିଲା।

ଏନେଇ ସୁପ୍ରିମ୍‌କୋର୍ଟର ବରିଷ୍ଠ ଆଇନଜୀବୀ ସଞ୍ଜୟ କୁମାର କୁହନ୍ତି ଯେ, ସାଇବର ଅପରାଧୀ ବିଭିନ୍ନ ନୂଆ ନୂଆ କୌଶଳର ବ୍ୟବହାର କରି ଡାଟା ଚୋରି କରୁଛନ୍ତି। ଭାରତରେ ଏହା ଦ୍ୱାରା ୧.୨ ଲକ୍ଷ କୋଟି ଟଙ୍କାର ଠକେଇ ହୋଇଛି। ପୃଥିବୀରେ ରାନସମ୍‌ଓ୍ବେର ଘଟଣାରେ ୬୨ ପ୍ରତିଶତ ବୃଦ୍ଧି ଘଟିଛି। କେବଳ ଆମେରିକାରେ ୧୫୮ ପ୍ରତିଶତ ବୃଦ୍ଧି ହୋଇଛି। ୟୁରୋପ, ଦକ୍ଷିଣ-ପୂର୍ବ ଏସିଆ, ଆମେରିକା ସମେତ ଅନ୍ୟ ଦେଶରେ ଏଭଳି ଘଟଣା ବଢ଼ି ଚାଲିଛି। ଏହା ଦ୍ୱାରା ସର୍ବାଧିକ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଠକେଇ ହୋଇଛି।

ଏହି ଘଟଣା ଧରାପଡ଼ିବା ଲାଗି ୨୦୨୧ରେ ୨୧୨ ଦିନ ଲାଗୁଥିବାବେଳେ ଅପରାଧୀଙ୍କୁ ଧରିବା ଲାଗି ୭୫ ଦିନ ଲାଗୁଛି। ଫଳରେ ସମାଧାନ ହେବା ଲାଗି ୨୮୭ ଦିନ ଲାଗୁଛି। ୨୦୨୦ରେ ଏଭଳି ସମସ୍ୟାର ସମାଧାନ ଲାଗି ୨୮୦ ଦିନ ଲାଗୁଥିଲା। ସେହିପରି ୨୦୧୯ରେ ଏଥି ଲାଗି ୨୭୯ ଦିନ ଲାଗୁଥିବା ରିପୋର୍ଟରେ ପ୍ରକାଶ ପାଇଛି।

Share