୧୪ ଜିଲାରୁ ୪.୨୫ ଲକ୍ଷ ମେଟ୍ରିକ୍‌ ଟନ୍‌ ରବିଧାନ କ୍ରୟ

ଭୁବନେଶ୍ୱର,୩୧।୫(ବ୍ୟୁରୋ):ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ପାକ୍ସ/ଲ୍ୟାମ୍ପସ୍‌ ଜରିଆରେ ରବିଧାନ କିଣା ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ୧୪ ଜିଲାରୁ ମୋଟ ୬୩,୮୨୭ଜଣ ଚାଷୀଙ୍କ ନିକଟରୁ ୭୯୩କୋଟି ଟଙ୍କାରେ ୪ ଲକ୍ଷ ୨୫ ହଜାର ମେଟ୍ରିକ ଟନ୍‌ ରବିଧାନ କ୍ରୟ କରାଯାଇଛି। ବିଭିନ୍ନ ଜିଲାରେ ଥିବା ୧୦୨୦ଟି କେନ୍ଦ୍ର ମାଧ୍ୟମରେ ରବିଧାନ ସଂଗ୍ରହ କରାଯାଉଛି। ଆଗକୁ ସୋସାଇଟିଗୁଡ଼ିକରେ କୋଭିଡ୍‌ ନିୟମକୁ ପାଳନ କରି ରବିଧାନ ସଂଗ୍ରହକୁ ତ୍ୱରାନ୍ବିତ କରାଯିବ। ଏଥିସହିତ ନାମ ପଞ୍ଜୀକରଣ କରିଥିବା ଚାଷୀମାନେ ଯେପରି ସହଜରେ ମଣ୍ଡିରେ ଧାନ ବିକ୍ରି କରିପାରିବେ ସେ ନେଇ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପାକ୍ସ ଓ କ୍ଷେତ୍ର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବରଗଡ଼ ଜିଲାରେ ସର୍ବାଧିକ ୨ ଲକ୍ଷ ୮ ହଜାର ୮୯ ମେଟ୍ରିକ୍‌ ଟନ୍‌ ରବି ଧାନ ସଂଗ୍ରହ କରାଯାଇଥିବାବେଳେ ଏହା ତଳକୁ ସୁବର୍ଣ୍ଣପୁରରେ ୮୧,୮୨୪ ମେଟ୍ରିକ୍‌ ଟନ୍‌, ସମ୍ବଲପୁରରେ ୫୩,୬୩୦ ମେଟ୍ରିକ୍‌ ଟନ ଓ କଳାହାଣ୍ଡି ଜିଲାରେ ୫୦,୬୧୦ ମେଟ୍ରିକ୍‌ ଟନ୍‌ ରହିଛି ା ରବିଧାନ ସଂଗ୍ରହ କାର୍ଯ୍ୟ ଆସନ୍ତା ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାନୁସାରେ, ଚଳିତ ବର୍ଷ ରବିଧାନ ସଂଗ୍ରହ ପାଇଁ ମୋଟ ୨ ଲକ୍ଷ ୩୨ ହଜାର ୪୦୯ ଜଣ ଚାଷୀ ନାମ ପଞ୍ଜୀକରଣ କରିଥିଲେ ା ଅଦ୍ୟାବଧି ୨ ଲକ୍ଷ ୨୦ ହଜାର ୨୪୩ ଜଣ ଚାଷୀଙ୍କ ଜମିଜମା ବାବଦ ତଥ୍ୟ, ବ୍ୟାଙ୍କ୍‌ ଆକାଉଣ୍ଟ, ଆଧାର କାର୍ଡ, ଜଳସେଚିତ ଜମିର ପରିମାଣ ଆଦିର ଯାଞ୍ଚ ପ୍ରକ୍ରିୟା ସରିଛି। ଏମାନଙ୍କ ମଧ୍ୟରୁ ୬୩ ହଜାର ୮୨୭ ଜଣ ଚାଷୀଙ୍କଠାରୁ ମୋଟ ୪ ଲକ୍ଷ ୨୫ ହଜାର ମେଟ୍ରିକ୍‌ ଟନ୍‌ ଧାନ କିଣା ସରିଛି। ଏବେ ବାଲେଶ୍ୱର, ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଟକ, ଝାରସୁଗୁଡ଼ା, କଳାହାଣ୍ଡି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର ଏବଂ ସୁବର୍ଣ୍ଣପୁର ଜିଲାରେ ଧାନ ସଂଗ୍ରହ କରାଯାଉଥିବାବେଳେ ଖୁବ୍‌ଶୀଘ୍ର କୋରାପୁଟ, ଖୋର୍ଦ୍ଧା ଓ ଯାଜପୁରରୁ ରବିଧାନ ସଂଗ୍ରହ ଆରମ୍ଭ କରାଯିବ ା

Share