Where India Stands International Day of the Girl Child
ଜାତିସଂଘ,୧।୭: ବିଗତ ୫୦ ବର୍ଷ ମଧ୍ୟରେ ବିଶ୍ୱରେ ୧୪ କୋଟି ୨୬ ଲକ୍ଷ ମହିଳା ନିଖୋଜ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଏକତୃତୀୟାଂଶ ଅର୍ଥାତ୍ ୪ କୋଟି ୫୮ ଲକ୍ଷ ମହିଳା ଭାରତର ବୋଲି ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ସଦ୍ୟ ରିପୋର୍ଟରେ କୁହାଯାଇଛି। ଜାତିସଂଘ ଜନସଂଖ୍ୟା ପାଣ୍ଠି (ୟୁଏନ୍ଏଫ୍ପିଏ) ପକ୍ଷରୁ ମଙ୍ଗଳବାର ଦି ଷ୍ଟେଟ୍ ଅଫ୍ ଓ୍ବାଲର୍ଡ ପପୁଲେଶନ ବା ବିଶ୍ୱ ଜନସଂଖ୍ୟାର ସ୍ଥିତି ୨୦୨୦ ରିପୋର୍ଟ ଜାରି କରାଯାଇଛି। ବିଶ୍ୱର ଯୌନ ଓ ପ୍ରଜନନ ସ୍ବାସ୍ଥ୍ୟ ସଂସ୍ଥା ୟୁଏନ୍ଏଫ୍ପିଏ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ବିଗତ ୫୦ ବର୍ଷରେ ନିଖୋଜ ମହିଳାଙ୍କ ସଂଖ୍ୟା ଦୁଇଗୁଣରୁ ଅଧିକ ବୃଦ୍ଧି ପାଇଛି। ୧୯୭୦ରେ ସାରା ବିଶ୍ୱରେ ୬ କୋଟି ୧୦ ଲକ୍ଷ ମହିଳା ନିଖୋଜ ଥିବାବେଳେ ୨୦୨୦େରେ ଏହି ସଂଖ୍ୟା ୧୪ କୋଟି ୨୬ ଲକ୍ଷରେ ପହଞ୍ଚତ୍ଛି। ନିଖୋଜ ମହିଳାଙ୍କ ମଧ୍ୟରେ କେବଳ ଭାରତର ୪ କୋଟି ୫୮ ଲକ୍ଷ ଥିବାବେଳେ ଚାଇନାର ୭ କୋଟି ୨୩ ଲକ୍ଷ ଅଛନ୍ତି। ପ୍ରସବ ପୂର୍ବରୁ ଲିଙ୍ଗ ନିରୂପଣ ଓ ପ୍ରସବ ପରବର୍ତ୍ତୀ ପ୍ରଭାବ ଯୋଗୁ ଏକ ନିର୍ଦ୍ଦିଷ୍ଟ ତାରିଖରୁ ଜନସଂଖ୍ୟାରୁ ନିଖୋଜ ହୋଇଥିବା ମହିଳାଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ଏହି ସଂସ୍ଥା କହିଛି।
୨୦୧୩ରୁ ୨୦୧୭ ମଧ୍ୟରେ ଭାରତରେ ପ୍ରତିବର୍ଷ ପ୍ରାୟ ୪ ଲକ୍ଷ ୬୦ ହଜାର ଶିଶୁକନ୍ୟା ଜନ୍ମ ସମୟରୁ ହିଁ ନିଖୋଜ ହୋଇଛନ୍ତି। ଏକ ବିଶ୍ଳେଷଣ ଅନୁସାରେ ଦେଶରେ ପ୍ରାୟ ଦୁଇ-ତୃତୀୟାଂଶ ଝିଅ ନିଖୋଜ ହେବାର କାରଣ ଲିଙ୍ଗ ନିରୂପଣ ଓ ଲିଙ୍ଗ ଆଧାରରେ ଭେଦଭାବ ସମ୍ପର୍କିତ। ସେହିପରି ଏକ-ତୃତୀୟାଂଶ ଶିଶୁକନ୍ୟା ଜନ୍ମ ପରେ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଉକ୍ତ ରିପୋର୍ଟରେ ବିଶେଷଜ୍ଞମାନଙ୍କ ପକ୍ଷରୁ ମିଳିଥିବା ପରିସଂଖ୍ୟାନକୁ ଭିତ୍ତିକରି କୁହାଯାଇଛି ଯେ, ଲିଙ୍ଗ ଆଧାରରେ ଭେଦଭାବ କାରଣରୁ (ଜନ୍ମ ପୂର୍ବରୁ) ଲିଙ୍ଗ ନିରୂପଣ ଯୋଗୁ ସାରା ବିଶ୍ୱରେ ନିଖୋଜ ହେଉଥିବା ହାରାହାରି ୧୨ ଲକ୍ଷରୁ ୧୫ ଲକ୍ଷ ଶିଶୁକନ୍ୟାଙ୍କ ମଧ୍ୟରୁ ୯୦ରୁ ୯୫% କେବଳ ଚାଇନା ଓ ଭାରତରେ ହେଉଛି। ପ୍ରତିବର୍ଷ ପିଲା ଜନ୍ମ କ୍ଷେତ୍ରରେ ମଧ୍ୟ ଏହି ଦୁଇ ଦେଶ ସବୁଠୁ ଆଗରେ ଅଛନ୍ତି। ସରକାରମାନେ ଲିଙ୍ଗ ନିରୂପଣ ଏଡ଼ାଇବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଭାରତ ଓ ଭିଏତ୍ନାମରେ ଲୋକଙ୍କ ବିଚାରରେ ପରିବର୍ତ୍ତନ ପାଇଁ ଅଭିଯାନ ଆରମ୍ଭ କରାଯାଇଛି।
ବିଶ୍ଳେଷଣ ଅନୁସାରେ ଭାରତରେ ଶିଶୁକନ୍ୟାଙ୍କ ମୃତ୍ୟୁହାର ସର୍ବାଧିକ। ପ୍ରତି ୧,୦୦୦ ଶିଶୁକନ୍ୟା ଜନ୍ମ ହେବା ପରେ ୧୩.୫%ଙ୍କ ମୃତ୍ୟୁ ଘଟୁଛି। ୫ ବର୍ଷ ବୟସରୁ କମ୍ ପ୍ରତି ୯ ଜଣ କନ୍ୟାଙ୍କ ମଧ୍ୟରୁ ଜଣଙ୍କ ଜୀବନ ଯାଉଛି। ଝିଅଙ୍କ ପରିବର୍ତ୍ତେ ପୁଅଙ୍କୁ ପ୍ରାଥମିକତା ଦେବା କାରଣରୁ କିଛି ଦେଶରେ ମହିଳା ଓ ପୁରୁଷଙ୍କ ଅନୁପାତରେ ବଡ଼ ବ୍ୟବଧାନ ଦେଖିବାକୁ ମିଳିଛି। ଜନସଂଖ୍ୟାରେ ଏହି ଅସନ୍ତୁଳନ ଯୋଗୁ ବିବାହ ପ୍ରଣାଳୀ ଉପରେ ମଧ୍ୟ ପ୍ରଭାବ ପଡ଼ିବ। ସ୍କୁଲ ଉପସ୍ଥାନ ପାଇଁ ନଗଦ ରାଶି ହସ୍ତାନ୍ତର କିମ୍ବା ସ୍କୁଲ ଫିଜ୍ ଛାଡ଼ ଓ ବହି, ୟୁନିଫର୍ମ ଆଦି ପ୍ରଦାନ ଭଳି ସୁବିଧା ସହ ସଫଳ ଶିକ୍ଷା ପ୍ରଣାଳୀ ଆପଣାଗଲେ ଶିଶୁକନ୍ୟାଙ୍କ ମୃତ୍ୟୁହାରକୁ ରୋକାଯାଇପାରିବ ବୋଲି ଅଧ୍ୟୟନରେ ପ୍ରସ୍ତାବ ଦିଆଯାଇଛି। ଏଥିରେ ‘ଅପନି ବେଟୀ ଅପନା ଧନ’ ଭଳି ଭାରତରେ ନିଆଯାଉଥିବା ସଫଳ ନଗଦ ରାଶି ହସ୍ତାନ୍ତର ଯୋଜନାକୁ ପ୍ରଶଂସା କରାଯାଇଛି। ଜନସଂଖ୍ୟାରେ ଅସନ୍ତୁଳନ ଯୋଗୁ ବିବାହ ବ୍ୟବସ୍ଥା ବହୁଳ ଭାବେ ପ୍ରଭାବିତ ହେବ। ଭାରତରେ ସମ୍ଭାବ୍ୟ କନ୍ୟାଙ୍କ ତୁଳନାରେ ସମ୍ଭାବ୍ୟ ବରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୨୦୫୫ ମସିହା ବେଳକୁ ଏହି ସ୍ଥିତି ଭାରତରେ ସବୁଠୁ ଖରାପ ହେବ। ୨୦୫୦ ପରେ ୫୦ ବର୍ଷ ବୟସ ପର୍ଯ୍ୟନ୍ତ ଏକାକୀ ରହୁଥିବା ଅବିବାହିତ ପୁରୁଷଙ୍କ ସଂଖ୍ୟା ୧୦% ବୃଦ୍ଧି ପାଇବ ବୋଲି ରିପୋର୍ଟରେ ଦର୍ଶାଯାଇଛି।