Advertisement

ଆସନ୍ତା ବିବାହ ଋତୁରେ ୪.୭୪ ଲକ୍ଷ କୋଟିର କାରବାର ଆକଳନ

ଭୁବନେଶ୍ୱର, ୨୩।୧୧ (ଅଭୟ ଦାଶ): ଚଳିତ ବର୍ଷର ବିବାହ ଋତୁ ବେଶ୍‌ ଜାକଜମକରେ ହେବ ବୋଲି ଚର୍ଚ୍ଚା ହେଉଛି। କାରଣ ଆସନ୍ତା (ବିବାହ ଋତୁ) ୧୧ଦିନରେ ମୋଟ ୩୮ ଲକ୍ଷ ବାହାଘର ହେବ ବୋଲି କନ୍‌ଫେଡେରେଶନ ଅଫ୍‌ ଅଲ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ପକ୍ଷରୁ କୁହାଯାଇଛି। ଏପରିକି ଚଳିତ ବର୍ଷ ନଭେମ୍ବର ୨୩ରୁ ଡିସେମ୍ବର ୧୫ ପର୍ଯ୍ୟନ୍ତ ଭାରତରେ ମୋଟ ୩୮ ଲକ୍ଷ ବାହାଘର ଅନୁଷ୍ଠିତ ହେବ, ଯେଉଁଥିରୁ ସବୁ ବର୍ଗର ବ୍ୟବସାୟୀ ଭଲ କାରବାରର ଆଶା ବାନ୍ଧି ବସିଥିବା ବ୍ୟବସାୟୀ ସଙ୍ଗଠନ ସିଏଆଇଟି ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ବିଶେଷକରି ଆସନ୍ତା ବିବାହ ଋତୁରେ ଦେଶର ମେନ୍‌ଲାଇନ ରିଟେଲ ବ୍ୟବସାୟରେ ବସ୍ତୁ ଓ ସେବା ମିଳିତ ଭାବେ ୪.୭୪ ଲକ୍ଷ କୋଟି ଟଙ୍କାର କାରବାର କରିବ ବୋଲି ସିଏଆଇଟି ପକ୍ଷରୁ ଆକଳନ କରାଯାଇଛି। ଏପରିକି ୨୦୨୨ର ସମାନ ଅବଧି ମଧ୍ୟରେ ଭାରତର ପ୍ରାୟ ୩୨ ଲକ୍ଷ ବାହାଘର ଅନୁଷ୍ଠିତ ହୋଇଥିଲାବେଳେ ମୋଟ ୩.୭୫ ଲକ୍ଷ କୋଟିର କାରବାର ପୂର୍ବାନୁମାନ କରାଯାଇଥିଲା। ସେହିଭଳି ଆସନ୍ତା ବିବାହ ଋତୁକୁ ନେଇ ସିଏଆଇଟି ପକ୍ଷରୁ ଆକଳନ କରାଯାଇଛି ଯେ ଦେଶରେ ଆରମ୍ଭ ହେବାକୁ ଯାଉଥିବା ବିବାହ ଋତୁରେ କିଣାକିଣି ଓ ବିଭିନ୍ନ ସେବା ବାବଦ ବ୍ୟୟ ଗତ ବର୍ଷ ତୁଳନାରେ ପ୍ରାୟ ୧ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ। ଏ ସମ୍ପର୍କରେ ସିଏଆଇଟି ସାଧାରଣ ସମ୍ପାଦକ ପ୍ରବୀନ ଖଣ୍ଡେଲୱାଲ କହିଛନ୍ତି, ଚଳିତ ବର୍ଷ ନଭେମ୍ବର ୨୩ରୁ ଡିସେମ୍ବର ୧୫ ମଧ୍ୟରେ ହାରାହାରି ୩୮ଲକ୍ଷ ବିବାହ ହେବ। ଏପରିକି ଏ ବାବଦରେ ମୋଟ ୪.୭୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ, ଯାହାକୁ ବର୍ତ୍ତମାନ ସମୟରେ ଅର୍ଥ ବ୍ୟବସ୍ଥା ଓ ଖୁଚୁରା ବ୍ୟବସାୟ ନିମନ୍ତେ ଏକ ଭଲ ସଂକେତ ଭାବେ ଦେଖାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share