Advertisement

ସୋଲାର ଲାଇଟ ବୋର୍ଡ଼ ଚୋରି କରି ଧରାପଡ଼ିଲେ ୪ ଅଭିଯୁକ୍ତ

ନାକଟିଦେଉଳ,୧୬ା୭(ବୈକୁଣ୍ଠ ନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ଥାନା ଅଧୀନ ପେଣ୍ଠବାହାଳ ଗ୍ରାମ ରାସ୍ତାପାର୍ଶ୍ୱରେ ଲାଗିଥିବା ସୋଲାର ଲାଇଟ ବୋର୍ଡ଼ ଚୋରି ଅଭିଯୋଗରେ ପୋଲିସ ୪ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପେଣ୍ଠବାହାଳ ଗ୍ରାମର ଅରୁଣ ନାଏକ, ଅମିତ ଦାସ, ସୁଧାଂଶୁ ସାହୁ ଏବଂ ଆର୍ତ୍ତ ଷେଣ୍ଢ। ପୋଲିସ ତାଙ୍କଠାରୁ ଚୋରି ହୋଇଥିବା ୩ଟି ସୋଲାର ଲାଇଟବୋର୍ଡ଼ ଜବତ କରିଛି।

ସୂଚନା ଅନୁସାରେ ରାଞ୍ଚି-ବିଜୟୱାଡ଼ା ଜାତୀୟ ରାଜପଥ ୧୫୩(ବି)ର ଅଂଶବିଶେଷ ରେଢାଖୋଲ-ନାକଟିଦେଉଳ ରାସ୍ତାର ପେଣ୍ଠବାହାଳ ଛକଠାରୁ ରାସ୍ତାପାର୍ଶ୍ୱରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଲାଗିଥିବା ସୋଲାର ଲାଇଟ ଖମ୍ବରୁ ଗତ ୧୫ତାରିଖ ରାତିରେ ଦୁର୍ବୃତ୍ତ ଲାଇଟ ବୋର୍ଡ଼ ଚୋରି କରି ନେଇଥିଲେ। ପେଣ୍ଠବାହାଳ ଛକରୁ ଗୋଟିଏ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମ୍ମୁଖରୁ ୨ଟି ଲାଇଟ ବୋର୍ଡ଼ ଚୋରି କରି ହୋଇଥିଲା। ରବିବାର ଏହା ଜଣାପଡ଼ିବା ପରେ ରାସ୍ତା କାମ କରୁଥିବା ଦୁର୍ଗା କନଷ୍ଟ୍ରକ୍ସନର ଅଧିକାରୀ ଅକ୍ଷୟ କୁମାର ସାହୁ ଏହି ସମ୍ପର୍କରେ ନାକଟିଦେଉଳ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ନାକଟିଦେଉଳ ଥାନା ଏଏସଆଇ ସୁଲେମାନ ହରୋ ଏକ ଚୋରି ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲେ।

ବିଭିନ୍ନ ସୂତ୍ରରୁ ଖବର ପାଇ ପୋଲିସ ଚୋରି କରିଥିବା ପେଣ୍ଠବାହାଳ ଗ୍ରାମର ଉପରୋକ୍ତ ୪ଜଣଙ୍କୁ ଧରିବା ସହ ଚୋରି ୩ଟି ଯାକ ସୋଲାର ଲାଇଟବୋର୍ଡ଼ ଜବତ କରିଥିଲା। ଦଫା ୩୭୯, ୩୪ ଦଫାରେ ଗିରଫ ୪ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଜାମିନ ଆବେଦନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତ ପଠାଇ ଦିଅଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel