ଡକାୟତି ଯୋଜନା ପଣ୍ଡ: ମାରଣାସ୍ତ୍ର ଜବତ, ୪ ଗିରଫ

ବଡ଼ବିଲ,୭ା୯(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ବୁଧବାର ବିଳମ୍ବିତ ରାତିରେ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବନ୍ଧୁକ, ଦାଉଲି ସହ କାର ଓ ୬ଟି ମୋବାଇଲ ଜବତ କରି ଏକ ବଡ ଧରଣର ଡକାୟତି ଯୋଜନାକୁ ପଣ୍ଡ କରିଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନେ ହେଲେ ଝାଡଖଣ୍ଡ ରାଜ୍ୟ ପୂର୍ବ ସିଂହଭୂମ୍‌ ଜିଲା ଟେଲକୋ ଥାନା ଅନ୍ତର୍ଗତ ଟିଆର୍‌ଏଫ୍‌ କଲୋନୀ ନିମ୍‌ ରୋଡ ଅଞ୍ଚଳର ରାକେଶ ଚୌଧରୀ, ବର୍ମା ମାଇନ୍ସ ଥାନା ଅନ୍ତର୍ଗତ ଫାଉଣ୍ଡାରୀ ରୋଡ୍‌ ଅଞ୍ଚଳର ସନ୍ଦୀପ ସିଂହ, ଇଷ୍ଟ ପ୍ଲାଣ୍ଟ ବସ୍ତି ଅଞ୍ଚଳର ବିଲ୍‌ଟୁ କୁମାର ସିଂହ ଓ କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ସୁନ୍ଦରାବସ୍ତି ଅଞ୍ଚଳରେ ରହୁଥିବା ରବି କୁମାର ରାମ୍‌।

ସୂଚନାନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ପୋଲିସ ସବ୍‌ ଇନ୍ସପେକ୍ଟର ବରଦା ପ୍ରସନ୍ନ ସାହୁ ସଦଳବଳ ରାତ୍ରି ପାଟ୍ରୋଲିଂ କରୁଥିବା ବେଳେ ଦାମୁ ହଟିଂସ୍ଥିତ ପଡ଼ିଆରେ କେତେକ ଅପରାଧୀ ଏକତ୍ରିତ ହୋଇଥିବା ଖବର ପାଇ ଘଟଣାସ୍ଥଳକୁ ଛୁଟିଥିଲେ। ପୋଲିସର ଅତର୍କିତ ଚଢାଉ ବେଳେ ଦୁର୍ବୃତ୍ତମାନେ ଖସି ପଳାଇବାକୁ ଉଦ୍ୟମ କରିଥିଲେ ହେଁ ଘଟଣାସ୍ଥଳରୁ ପୋଲିସ ୪ ଜଣ ଦୁର୍ବୃତ୍ତଙ୍କୁ କାବୁ କରିବାକୁ ସକ୍ଷମ ହୋଇଥିଲା ବେଳେ ଜଣେ ଦୁର୍ବୃତ୍ତ ଅନ୍ଧାରର ସୁଯୋଗ ନେଇ ଖସିଯିବାକୁ ସଫଳ ହୋଇଥିବା ଜଣାପଡ଼ିଛି। ଦୁର୍ବୃତ୍ତମାନେ ବ୍ୟବହାର କରୁଥିବା ଜେଏଚ୍‌ ୦୫ ସିଜେଡ ୦୦୨୦ ନମ୍ବର ବିଶିଷ୍ଟ ଦାମୀ ଏକ୍ସଏଲ-୫ କାର୍‌କୁ ପୋଲିସ ଘଟଣାସ୍ଥଳରୁ ଜବତ କରିବା ସହ ସେମାନଙ୍କ ନିକଟରୁ ଏକ ବନ୍ଧୁକ, ଦୁଇଟି ଦାଉଲି, ଏକ ଛୁରି, ଲଙ୍କାଗୁଣ୍ଡ ପାଉଚ୍‌ ଓ ବିୟର ବୋତଲ ଜବତ କରିଥିବା ଜଣାପଡିଛି। ଦୁର୍ବୃତ୍ତମାନଙ୍କୁ ପୋଲିସ ପଚରାଉଚରା ପରେ ସେମାନେ ବଡ଼ବିଲ ସହରରେ ଲୁଟ୍‌ ପାଇଁ ଯୋଜନା କରୁଥିବା ଜଣାପଡ଼ିଥିଲା। ଏ ନେଇ ବଡ଼ବିଲ ପୋଲିସ କେସ୍‌ ନଂ-୨୪୪/୨୩ରେ ଏକ ମାମଲା ରୁଜୁ କରି ୪ ଅଭିଯୁକ୍ତଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।