କଟକ,୧୭ା୧ (କାର୍ତ୍ତିକ ସାହୁ): ଜିଲା ଅବକାରୀ ବିଭାଗ ତିଗିରିଆ ଥାନା ଅଞ୍ଚଳରେ ବୁଧବାର ଚଢ଼ାଉ କରି ପର୍ଯ୍ୟାପ୍ତ ପରିମାଣର ମଦ ଓ ପୋଚ ଜବତ କରିଛି।
ସୂଚନା ଅନୁସାରେ, ତିଗିରିଆ ଥାନା ଅନ୍ତର୍ଗତ ଭିରୁଡ଼ାର ପଣସପାଟଣା ଗାଁରେ ଚନ୍ଦ୍ରମଣି ସାହୁଙ୍କ ଘରେ ବୁଧବାର ଚଢ଼ାଉ ହୋଇଥିଲା। ଚନ୍ଦ୍ରମଣି ତାଙ୍କ ଘରେ ମଦ ଗଚ୍ଛିତ ରଖି ଚୋରା କାରବାର କରୁଥିବା ଖବର ଅବକାରୀ ବିଭାଗ ପାଇଥିଲା। ଘର ଭିତରୁ ୧୫୦୦ ଲିଟର ମଦ ପୋଚ ଓ ୧୦୦ ଲିଟର ଦେଶୀ ରନ୍ଧା ମଦ ଜବତ ହୋଇଥିଲା। ଅବକାରୀ ବିଭାଗ ଚନ୍ଦ୍ରମଣିଙ୍କ ସମେତ ପରିବାର ସଦସ୍ୟଙ୍କ ବିରୋଧରେ ଚୋରା ମଦ କାରବାର ମାମଲା ରୁଜୁ କରିଛି। ସେହିଭଳି ପଣସପାଟଣାର ସତ୍ୟପ୍ରକାଶ ମହାନ୍ତି(୨୪) ଓ ରାମ ଗୋବିନ୍ଦ ମହାପାତ୍ର(୨୦)କୁ ଗିରଫ କରିଛି। ଏମାନଙ୍କ ଠାରୁ ୪୦ ଲିଟର ବେଆଇନ ମଦ ଜବତ ହୋଇଛି। ଏଥିସହ ତିଗିରିଆ ଅଞ୍ଚଳର ଗୌତମ ପ୍ରଧାନ ଓ ଦୀପକ ପଣ୍ଡାଙ୍କୁ ଗିରଫ କରି ତାଙ୍କ ନିକଟରୁ ୯୬୦ ଲିଟର ଦେଶୀ ରନ୍ଧା ମଦ ଓ ଗୋଟିଏ ବୋଲେରୋ ଗାଡ଼ି ଜବତ ହୋଇଛି, ଯାହାର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି।
ଏହାବାଦ ୫୨୫୦ ଲିଟର ଗୁଡ଼ ପୋଚ, ୪୨୫ ଲିଟର ଦେଶୀ ମଦ ଜବତ ପରେ ନଷ୍ଟ କରାଯାଇଥିବା ବେଳେ ଏଥିରେ ସମ୍ପୃକ୍ତ ତିନି ଜଣ ମାଫିଆ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଅବକାରୀ ଏସପି ଦେବାଶିଷ ପଟେଲଙ୍କ ନିର୍ଦ୍ଦେଶ କ୍ରମେ ଆଠଗଡ଼ ଅବକାରୀ ଡିଏସପି ପ୍ରମୋଦ ପଣ୍ଡା ନେତୃତ୍ୱରେ ଚଢ଼ାଉ ହୋଇଥିଲା। ସଦର ଇନ୍ସପେକ୍ଟର ଶୃତିକାନ୍ତ ରାଉତ, କଟକ-୨ ଓଆଇସି ଦୁଃଖୀଶ୍ୟାମ ଟୁଡୁ, ଏଏସଆଇ କମଳାକାନ୍ତ ବେହେରା, ଆଶିଷ ପ୍ରଧାନ, ସୌମ୍ୟ ବେହେରା, ଆଶିଷ ଦାସ ପ୍ରମୁଖ ଚଢ଼ାଉରେ ସାମିଲ ହୋଇଥିଲେ।