ବନ୍ଧୁକ ଲଗାଇ ହତ୍ୟା ଧମକ ଦେଇ ୪ ଗିରଫ

ଝାରସୁଗଡ଼ା ଅଫିସ୍‌,୨୨ା୫: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନା ଅଞ୍ଚଳରେ ୨ଜଣଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଝାରସୁଗୁଡା ସଦର ଥାନା ଏକ୍କାତାଳି ଗ୍ରାମର ନିକେତ ଜୟପୁରିଆ(୨୨)ଙ୍କ ସହ ୪ଜଣଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତମାନେ ହେଲେ ଲଇକେରା ଥାନା ବାନ୍ଦଲି ଗ୍ରାମର ଯୁଧିଷ୍ଠିର ମହାନନ୍ଦ(୨୫), କୋଲାବିରା ଥାନା ସିଂଙ୍ଗିବାହାଲ ଗ୍ରାମର ଅନାଦି ରୋହିଦାସ(୩୦)ଓ ପାଇକପଡା ଗ୍ରାମର ଦେବାନନ୍ଦ କଉଡି(୨୯)। ଅଭିଯୁକ୍ତମାନଙ୍କ ନିକଟରୁ ୨ଟି ବନ୍ଧୁକ ଓ ୪ଟି ମୋବାଇଲ୍‌ ଫୋନ ଜବତ କରିଛି। ରବିବାର ପୋଲିସ ଅଭିଯୁକ୍ତମାନଙ୍କୁ ଝାରସୁଗୁଡା କୋର୍ଟ ଚାଲାଣ କରିଛି। ଅନ୍ୟପକ୍ଷେ କାଳିନଗରର ସରୋଜ ସ୍ବାଇଁ(୧୯)ଙ୍କ ଅଭିଯୋଗକୁ ଭିତ୍ତିକରି ଓରିଏଣ୍ଟ ଥାନାରେ ଏକ ମାମଲା(ନଂ.୮୩/୨୨)ରୁଜୁ ହୋଇଛି। ଏସ୍‌ଡିପିଓ ଗୁପ୍ତେଶ୍ୱର ଭୋଇ ରବିବାର ଏକ ଖବରଦାତା ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି।
ଗତ ଶନିବାର ସ୍ଥାନୀୟ କବରପଡାସ୍ଥିତ ବନ୍ଧ ନିକଟକୁ ଅଭିଯୋଗକାରୀ ଯୁବକ ସରୋଜ ଯାଇଥିଲେ। ଏହି ସମୟରେ ସେଠାରେ ନିକେତ ଓ ତାଙ୍କ ସାଙ୍ଗମାନେ ପହଞ୍ଚି ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଜୀବନରୁ ମାରି ଦେବାପାଇଁ ଧମକ ଦେଇଥିଲେ। ଏହି ସମୟରେ ସେହି ରାସ୍ତାରେ ଯାଉଥିବା ସାଙ୍ଗମାନଙ୍କୁ ଦେଖି ସରୋଜ ପାଟି କରିଥିଲେ। ସରୋଜଙ୍କ ସାଥୀମାନେ ସେଠାରେ ପହଞ୍ଚତ୍ବା ପରେ ନିକେତ ଓ ତାଙ୍କ ସାଙ୍ଗମାନେ ଖସି ପଳାଇ ଯାଇଥିଲେ। ଏ ନେଇ ସରୋଜ ଥାନାରେ ଅଭିଯୋଗ କଲାପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଆଇଆଇସି କଲ୍ୟାଣୀ ବେହେରାଙ୍କ ନେତୃତ୍ୱରେ ଏକ ପୋଲିସ୍‌ ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରି ମାରଣାସ୍ତ୍ର ସହ ଫେରାର୍‌ ଅଭିଯୁକ୍ତମାନଙ୍କୁ ଧରିଥିଲେ।