ଟିଟୋ ଗ୍ୟାଙ୍ଗ୍‌ର ୪ ଗିରଫ

କଟକ ଅଫିସ,୨୮।୭: ଟିଟୋ ଗ୍ୟାଙ୍ଗ୍‌ ସହ ସମ୍ପୃକ୍ତ ଥିବା ୪ ଜଣ କୁଖ୍ୟାତ ଅଭିଯୁକ୍ତଙ୍କୁ ଚାଉଳିଆଗଞ୍ଜ ଥାନା ପୋଲିସ ଗିରଫ କରିଛି। ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୋଲିସ ଚଢ଼ାଉ କରି ଏମାନଙ୍କୁ ଗାନ୍ଧିଛକ ନିକଟସ୍ଥ ପଡ଼ିଆରୁ ଉଠାଇ ଆଣିଥିଲା। ଚଢ଼ାଉ ବେଳେ ସେଠାରୁ ଅନ୍ୟ ୨ ଜଣ ଫେରାର ହୋଇଯାଇଥିଲେ। ଗିରଫ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ଦେଶୀବନ୍ଧୁକ ସମେତ ଅନ୍ୟ ମାରଣାସ୍ତ୍ର ଜବତ ହୋଇଛି। କଟକର ଡିସିପି ଭାବେ ପ୍ରତୀକ ସିଂ ଯୋଗଦେବା ପରେ ଏହା ତାଙ୍କର ପ୍ରଥମ ସଫଳତା।
ପୋଲିସ ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତମାନେ ହେଲେ ଚାଉଳିଆଗଞ୍ଜ ମଠସାହିର ସୋମନାଥ ସାହୁ (୨୪), ଜିତେନ୍ଦ୍ର ସାହୁ (୨୮), ଜଗତପୁର ଫକୀରପଡ଼ା ଅଞ୍ଚଳର ରାମଚନ୍ଦ୍ର ନନ୍ଦ (୨୮), କେନ୍ଦ୍ରାପଡ଼ା କୁରୁତୁଙ୍ଗା ଅଞ୍ଚଳର ରଶ୍ମିରଞ୍ଜନ ସ୍ବାଇଁ (୩୧)। ଏମାନେ କେନ୍ଦ୍ରାପଡ଼ା ଟିଟୋ ଗ୍ୟାଙ୍ଗ୍‌ର ସକ୍ରିୟ ସଦସ୍ୟ ଥିଲେ। ହତ୍ୟାକାଣ୍ଡ, ଛିନ୍‌ତାଇ, ଲୁଟ୍‌, ଡକାୟତି ଭଳି ଅନେକ ଆପରାଧିକ କାର୍ଯ୍ୟକଳାପରେ ସେମାନଙ୍କର ସମ୍ପୃକ୍ତି ଥିଲା। ଉପରୋକ୍ତ ୪ ଜଣ ଓ ଅନ୍ୟ ଦୁଇ ଜଣ ଯୁବକ ରବିବାର ସନ୍ଧ୍ୟାରେ ଗାନ୍ଧିଛକସ୍ଥିତ ପେଟ୍ରୋଲ ପମ୍ପ ନିକଟସ୍ଥ ପଡ଼ିଆରେ ଡକାୟତି ଯୋଜନା ଚଳାଇଥିଲେ। ଖବର ପାଇ ଚାଉଳିଆଗଞ୍ଜ ଥାନାଧିକାରୀ ତାପସ ପ୍ରଧାନଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ଚଢ଼ାଉ କରି ଉପରୋକ୍ତ ୪ ଜଣଙ୍କୁ ଧରିଥିଲା। ଚାଉଳିଆଗଞ୍ଜ ଥାନାରେ ସୋମନାଥଙ୍କ ନାଁରେ ୬, ଜିତେନ୍ଦ୍ରଙ୍କ ନାଁରେ ୧୩ ଓ ରାମଚନ୍ଦ୍ରଙ୍କ ନାଁରେ ୩ଟି ମାମଲା ରହିଛି। ରଶ୍ମିରଞ୍ଜନଙ୍କ ନାମରେ କେନ୍ଦ୍ରାପଡ଼ା, ପାରାଦୀପ ଥାନାରେ ଏକାଧିକ ମାମଲା ରହିଛି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ୩ଟି ଅଫୁଟା ଗୁଳି, ୨ଟି ମାରଣାସ୍ତ୍ର, ଦୁଇଟି ବାଇକ୍‌, ୪ଟି ମୋବାଇଲ ଜବତ ହୋଇଛି। ଆଇପିସି ଧାରା ୩୯୯, ୪୦୨ ଓ ଆର୍ମ ଆକ୍ଟ ୨୫ ଅନୁଯାୟୀ ୨୪୮/୨୦ ନଂରେ ମାମଲା ରୁଜୁ କରାଯାଇ ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Share