ଧଳାଜହର ବେପାର ବେଳେ ୪ ଗିରଫ

ଅନୁଗୋଳ ଅଫିସ, ୨୯।୩: ଅନୁଗୋଳ ଜିଲାରେ ଧଳା ଜହର କାରବାର ବୃଦ୍ଧି ପାଇବାରେ ଲାଗିଛି। କିଛିଦିନ ହେଲା ଏ ନେଇ ପୋଲିସ ସତର୍କ ନଜର ରଖିଥିଲେ ବି ଚୋରା ବେପାରୀମାନେ ଏହି ନିଶା ସାମଗ୍ରୀର କିଣାବିକା ଚଳାଇଛନ୍ତି। ସୋମବାର ଅପରାହ୍ନରେ ଅନୁଗୋଳ ପୋଲିସ ଗୀତାଗ୍ରାମ କାଳିମନ୍ଦିର ନିକଟରେ ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରିଛି। ତେବେ ଏହି ବ୍ୟବସାୟର କିଙ୍ଗପିନ୍‌ କୁହାଯାଉଥିବା ଗିରାଙ୍ଗ ଅଞ୍ଚଳର ମହିଳା ଝିଲି ସାହୁ ଘଟଣାସ୍ଥଳରୁ ଖସିଯାଇଛନ୍ତି।
ପୋଲିସ କହିଛି, ଅନୁଗୋଳ ଥାନାର ଏସ୍‌ଆଇ ଅମିତ ମିଶ୍ର ଗୀତାଗ୍ରାମ ପାର୍ଶ୍ୱରେ ପାଟ୍ରୋଲିଂ କରୁଥିବା ବେଳେ ସେଠାରେ ବ୍ରାଉନସୁଗାର ବ୍ୟବସାୟ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲେ। ତେବେ ଘଟଣାସ୍ଥଳରେ ଚଢ଼ାଉ କରିବା ସମୟରେ ସେଠାରେ କେତେଜଣ ଯୁବକ ଠିଆ ହୋଇଥିବା ଦେଖିବାକୁ ପାଇଥିଲେ। କିଙ୍ଗପିନ୍‌ ମହିଳା ନାଲ୍‌କୋ ଥାନା ଗିରାଙ୍ଗ ଅଞ୍ଚଳର ଝିଲି ସାହୁ ଚମ୍ପଟ ମାରିଥିଲେ। ହେଲେ ସେଠାରେ ଉପସ୍ଥିତ ଥିବା ୪ ଜଣଙ୍କୁ ଉଠାଇ ଆଣି ପଚରା ଉଚରା କରିଥିଲା। ସେମାନେ ବ୍ରାଉନସୁଗାର ବ୍ୟବସାୟ ପାଇଁ ରଖିଥିବା ପୋଲିସ ଆଗରେ ସ୍ବୀକାର କରିଥିଲେ। ଏ ନେଇ ଏସ୍‌ଆଇ ମିଶ୍ର ଲିଖିତ ଅଭିଯୋଗ କରିବା ପରେ ନଂ. ୧୫୩/୨୩ରେ ମାମଲା ରୁଜୁ କରାଯାଇ ସଦର ଥାନା ଖଲାରୀ ଅଞ୍ଚଳର ସୌମ୍ୟ ରଞ୍ଜନ ପ୍ରଧାନ(୩୦), ଗୋପାଳପ୍ରସାଦ ଥାନା ଭାଲୁଗାଡ଼ିଆ ଅଞ୍ଚଳର ଦୁଷ୍ମନ୍ତ ନାଏକ(୨୪), ଅନୁଗୋଳ ଥାନା ତୁରଙ୍ଗ ଅଞ୍ଚଳର ସାନୁ ବେହେରା(୨୨) ଓ କୋଲିୟରୀ ଥାନା ସାଉଥ ବଲଣ୍ଡା ଅଞ୍ଚଳର ମନୋଜ ନାଏକ(୨୧)ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ସେମାନଙ୍କ ନିକଟରୁ ୫.୫୧୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା। ଏଥିସହ ଆଲୁମିନିୟମ୍‌ ଫଏଲ, ୪,୭୦୦ ନଗଦ ଟଙ୍କା, ବିଡ଼ି, ସିଗାରେଟ୍‌, ଲାଇଟର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ୍‌ କରାଯାଇଥିଲା। ମାଜିଷ୍ଟ୍ରେଟ୍‌ ଭାବେ ଅନୁଗୋଳ ଅତିରିକ୍ତ ତହସିଲଦାର ପ୍ରଶାନ୍ତ ସିଂହଙ୍କ ଉପସ୍ଥିତିରେ ଏହି ବ୍ରାଉନସୁଗାର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିବା ପରେ ପୋଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଥିଲା ବୋଲି ଥାନା ଅଧିକାରୀ ପ୍ରଭାତ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି। ଘଟଣାର ଅଧିକ ତଦନ୍ତ ଏସ୍‌ଆଇ ସୁଶାନ୍ତ କୁମାର ନାଥ କରୁଥିବା ଜଣାପଡ଼ିଛି।