ଦୁର୍ଦ୍ଦାନ୍ତ ଅପରାଧୀ ଜୁମାଙ୍କ ସମେତ ୪ ଗିରଫ

ଫୁଲନଖରା,୨୧ା୯(ଡି.ଏନ୍‌.ଏ.): ଗାଡ଼ି ଓ ସୁନା ଚୋରି ଅଭିଯୋଗରେ ୪ ଅଭିଯୁକ୍ତଙ୍କୁ କଟକ ସଦର ଥାନା ପୋଲିସ ଗରିଫ କରିଛି। ସେମାନେ ହେଲେ କୋରାପୁଟ ଜିଲା ଲକ୍ଷ୍ମୀପୁର ଥାନା ଅଞ୍ଚଳର ଅବଦୁଲ୍‌ ନାଦୀ ଖାଁ ଓରଫ ଜୁମା (୧୯),କଟକ ଜିଲା ଜଗତପୁର ଥାନା ଅନ୍ତର୍ଗତ ନୂଆସାହିର ଦେବାଶିଷ ଭୂୟାଁ(୧୯), ଜଗତପୁର ଥାନା ଗଣିପୁରର ବିନୋଦ ବିହାରୀ ବିଶ୍ବାଳ,(୩୦), କେନ୍ଦ୍ରାପଡ଼ା ଗରାପୁର ଅଞ୍ଚଳର ଏସ୍‌ କେ ରୁସ୍ତମ(୩୭)। ପୋଲିସ ଏମାନଙ୍କ ୫ଟି ଗାଡ଼ି, ଦୁଇଟି ବାଇକ୍‌ ଯଥା ଦୁଇଟି ମାରୁତି ଅଲ୍ଟୋ (ଓଆର ୦୫ ଏମ୍‌ ୨୧୧୪), (ଓଆର.୨୧.୭୪୭୯),ଗୋଟିଏ ବୋଲେରୋ (ଓଆର ୦୫ ଏପି ୬୪୯୮),ଦୁଇଟି ବୋଲେରୋ ପିକ୍‌ଅପ ଭ୍ୟାନ୍‌ (ଓଡି ୦୫ଏସ୍‌ ୯୪୭୪), (ଓଡି ୦୨ ଇ ୯୩୪୬), ଦୁଇଟି ବାଇକ (ଏପି . ୩୯ ଏଫ୍‌ପି ୩୩୨୯), (ଡବ୍ଲ୍ୟୁ ୧୨ ଏଜେ ୮୨୫୦) ଓ ୬୧.୨୮ଗ୍ରାମ ସୁନା ଅଳଙ୍କାର ସହ ଗୋଟିଏ ମୋବାଇଲ। ପୋଲିସ କେସ୍‌ ନଂ୩୬୬/୨୨ରେ ଏକ ମାମଲା ରୁଜୁ କରି ବୁଧବାର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପୋଲିସ ସୂତ୍ରରୁ ପ୍ରକାଶ, ଗତ ଅଗଷ୍ଟ ୨୧ରେ କଟକ ସଦର ଥାନା ଅନ୍ତର୍ଗତ ଅଢ଼ାଳିଆ ମୌଜାର ରମେଶ ସାହୁ ଏକ ଲିଖିତ ଅଭିଯୋଗ କରିଥିଲେ କି ତାଙ୍କର ଏକ ଅଲ୍ଟୋ କାର୍‌ (ଓ ଆର. ୨୧ – ୭୪୭୯)ଘର ସମ୍ମୁଖରୁ କେହି ବିଳମ୍ବିତ ରାତିରେ ଚୋରି କରି ନେଇଯାଇଛି । ଅଭିଯୋଗକୁ ଭିତ୍ତି କରି ସଦର ଥାନା ପୋଲିସ ପ୍ରଥମେ କେନ୍ଦ୍ରାପଡ଼ାର ଏସ୍‌କେ ରୁସ୍ତକକୁ ଗିରଫ କରି ତାଙ୍କଠାରୁ ଚୋରି ଯାଇଥିବା ଅଲ୍ଟୋକୁ ଜବତ କରି ଅଧିକ ତଦନ୍ତ ଚଳାଇଥିଲା। ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା ଯେ, ଏଥିରେ ବହୁ ଦୁର୍ଦ୍ଦାନ୍ତ ଅପରାଧୀ ସଂଶ୍ଳିଷ୍ଟ ରହି ରାଜ୍ୟ ବାହାରେ ସୁନା ଅଳଙ୍କାର ସହ ଗାଡ଼ି ଚୋରିକରିଛନ୍ତି। ପରେ ପୋଲିସ ଅବଦୁଲ ନାଦୀ ଖାଁ, ଦେବାଶିଷ ଭୂୟାଁ,ବିନୋଦ ବିହାରୀ ବିଶ୍ବାଳକୁ ଗିରଫ କରିଥିଲା। ପୋଲିସ ସେମାନଙ୍କ ଠାରୁ ସୁନା ଅଳଙ୍କାର ସହ ୪ ଟି ଗାଡ଼ି ଓ ଦୁଇଟି ବାଇକ୍‌ ବି ଜବତ କରିଥିଲା। ଅଭିଯୁକ୍ତ ଅବଦୁଲ ନାଦୀ ଖାଁ ଓରଫ ଜୁମା ନାମରେ ଆନ୍ତଃରାଜ୍ୟ ଆନ୍ଧ୍ରପ୍ରଦେଶ, ଶ୍ରୀକାକୁଲମ ଓ ଓଡ଼ିଶାର ବିଭିନ୍ନ ଥାନାରେ ୧୭ଟି ମାମଲା ସହ ଗାଡ଼ି ଚଢ଼ାଇ ମାରି ଖସି ଯିବା ଭଳି ସଙ୍ଗୀନ କେସ୍‌ ଥିବା ଡିସିପି ପିନାକ ମିଶ୍ର କହିଛନ୍ତି।

Share