୨୦୦ ଦିନ ପରେ ପୃଥିବୀକୁ ଫେରିଲେ ୪ ମହାକାଶଚାରୀ…

ମେକ୍ସିକୋ,୯।୧୧: ମହାକାଶରେ ୨୦୦ ଦିନ ବିତାଇବା ପରେ ସୋମବାର ରାତିରେ ଚାରିଜଣ ମହାକାଶଚାରୀ ପୃଥିବୀକୁ ଫେରିଛନ୍ତି। ସେମାନେ ସ୍ପେସ ଏକ୍ସ କ୍ୟାପସୁଲରେ ମେକ୍ସିକୋ ଗଲ୍ଫରେ ଅବତରଣ କରିଛନ୍ତି। ସୂଚନାନୁସାରେ, ସ୍ପେସ ଏକ୍ସ କ୍ରୁର ସମସ୍ତ ଚାରିଜଣ ସଦସ୍ୟ ସ୍ପେସ ଷ୍ଟେସନ ଛାଡିବାର ଆଠ ଘଣ୍ଟା ପରେ ନିରାପଦରେ ପୃଥିବୀ ପୃଷ୍ଠରେ ଅବତରଣ କରିଛନ୍ତି। ଖରାପ ପାଗ ହେତୁ ସେମାନଙ୍କର ପ୍ରତ୍ୟାବର୍ତ୍ତନକୁ ସ୍ଥଗିତ ରଖିବାକୁ ପଡିଥିଲା।
ଏହାପୂର୍ବରୁ ନାସା ଖରାପ ପାଗ ଯୋଗୁଁ ଚାରିଜଣ ଯାତ୍ରୀଙ୍କ ଯାତ୍ରାକୁ ସୋମବାର ଅପରାହ୍ନ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲା। ଫ୍ଲୋରିଡା ଉପକୂଳରେ ପ୍ରବଳ ପବନ ବହୁଥିଲା ଏବଂ ନିରାପଦ ପ୍ରତ୍ୟାବର୍ତ୍ତନ ହେବା ନେଇ ଆଶଙ୍କା ରହିଥିଲା। ଏହାକୁ ଦୃଷ୍ଟିରେ ରଖି ଚାରିଜଣ ସଦସ୍ୟଙ୍କ ନିରାପଦ ପ୍ରତ୍ୟାବର୍ତ୍ତନକୁ ସ୍ଥଗିତ ରଖିବାକୁ ପଡିଥିଲା।

ପୃଥିବୀକୁ ଫେରିଥିବା ଯାତ୍ରୀଙ୍କ ମଧ୍ୟରେ ନାସାର ଶେନ୍‌ କିମ୍ବ୍ରୋ ଏବଂ ମେଗାନ ମାକାଥର୍‌, ଜାପାନର ଆକିହିକୋ ହୋଶିଡେ ଏବଂ ଫ୍ରାନ୍ସର ଥୋମାସ ପେସ୍କେଟ ଅଛନ୍ତି। କାର୍ଯ୍ୟସୂଚୀ ଅନୁଯାୟୀ, ସୋମବାର ସକାଳେ ସମସ୍ତଙ୍କୁ ଫେରାଇ ଦିଆଯାଇଥାନ୍ତା, କିନ୍ତୁ ଖରାପ ପାଗ ହେତୁ ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ ବିଳମ୍ବ ହୋଇଥିଲା।

ମହାକାଶରୁ ସ୍ପେସ ଏକ୍ସରେ ପୃଥିବୀକୁ ଫେରିବା ବହୁତ କଷ୍ଟସାଧ୍ୟ ଥିଲା। ଏହି ଯାତ୍ରୀମାନଙ୍କୁ ଆନ୍ତର୍ଜାତୀୟ ସ୍ପେସ ଷ୍ଟେଶନକୁ ନେବା ପାଇଁ ଆସିଥିବା ସ୍ପେସ ଏକ୍ସ ରକେଟର ଶୌଚାଳୟ ଭାଙ୍ଗି ଯାଇଥିଲା। ଏହି କାରଣରୁ ଯାତ୍ରୀମାନଙ୍କୁ ସ୍ପେସ ଷ୍ଟେଶନ ଛାଡିବା ପରେ ଯାତ୍ରା ସମୟରେ ସେମାନଙ୍କୁ ଡାଏପର ପିନ୍ଧିବାକୁ ପଡୁଥିଲା। ନାସାର ମହାକାଶଚାରୀ ମେଗାନ ମାକାଥର୍‌ ଏହି ଯାତ୍ରାକୁ ଭୟଙ୍କର ବୋଲି ବର୍ଣ୍ଣନା କରିଛନ୍ତି।

ଚାରି ଜଣ ମହାକାଶଚାରୀ ପୃଥିବୀକୁ ଫେରିବା ପରେ ଅନ୍ୟ ଚାରିଜଣ ଯାତ୍ରୀଙ୍କ ମହାକାଶ ଯାତ୍ରା ପାଇଁ ଏବେ ସୁଯୋଗ ସୃଷ୍ଟି ହୋଇଛି। ଏହି ଚାରିଜଣ ଯାତ୍ରୀଙ୍କୁ ବୁଧବାର ସ୍ପେସ ଏକ୍ସରୁ ସ୍ପେସ ଷ୍ଟେଶନକୁ ପଠାଯିବ। ଏହି ମହାକାଶଚାରୀମାନେ ପୂର୍ବରୁ ଯାତ୍ରା କରିବାର ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। କିନ୍ତୁ ଖରାପ ପାଗ ଏବଂ ଜଣେ ଯାତ୍ରୀ ଅସୁସ୍ଥ ହୋଇପଡିଥିବାରୁ ଯାତ୍ରାକୁ ସ୍ଥଗିତ ରଖାଯାଇଥିଲା। ସେମାନଙ୍କୁ ବୁଧବାର ମହାକାଶକୁ ପଠାଯିବ। ଏହି ଯାତ୍ରୀମାନେ ମଧ୍ୟ ପ୍ରାୟ ୬ ମାସ ସ୍ପେସ ଷ୍ଟେଶନରେ ରହିବେ।

Share