ଚାଲିଥିଲା ମଉଜ, ୪ ବାର୍‌ ସିଲ୍‌

ଭୁବନେଶ୍ୱର,୧୩ା୧୨(ବ୍ୟୁରୋ): ରାଜଧାନୀର ବାର୍‌ରେ ମଦ ସହ ମଉଜ ଚାଲିଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ନାଚଗୀତଠାରୁ ଆରମ୍ଭ କରି ଚିତ୍ତବିନୋଦନ ପାଇଁ ସବୁକିଛି ମିଳୁଛି। କରୋନା କଟକଣାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ଏ ସମ୍ପର୍କରେ ଅଭିଯୋଗ ଆସିବା ପରେ କମିଶନରେଟ ପୋଲିସ ପକ୍ଷରୁ ଶନିବାର ବଡ଼ ଧରଣର ଚଢ଼ାଉ ହୋଇଛି। ଚଢ଼ାଉବେଳେ ବାର୍‌ ଭିତରର ପରିସ୍ଥିତିକୁ ଦେଖି ପୋଲିସ ଚକିତ ହୋଇଯାଇଛି। ୪ଟି ବାର୍‌ ସିଲ୍‌ କରିବା ସହ ଉଲ୍ଲଂଘନକାରୀ ଗ୍ରାହକ, କର୍ମଚାରୀ ଓ ବାର୍‌ ମାଲିକଙ୍କୁ ଜରିମାନା କରିଛି।

୨ ପ୍ଲାଟୁନ ପୋଲିସ ଫୋର୍ସ ସହ ୧୫ଜଣ ଅଧିକାରୀ ଲକ୍ଷ୍ମୀସାଗର, ବଡ଼ଗଡ଼, ବାଲିଅନ୍ତା, ଶହୀଦନଗର, ଖାରବେଳନଗର, ଚନ୍ଦ୍ରଶେଖରପୁର, ଖଣ୍ଡଗିରି ଓ ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ବାର୍‌ଗୁଡିକ ଉପରେ ଚଢ଼ାଉ କରିଥିଲେ। ଲକ୍ଷ୍ମୀସାଗର ଥାନାଞ୍ଚଳରେ ୧୦ଟି ବାର୍‌ରେ ଚଢାଉ କରାଯାଇଥିଲା। ତେବେ ମହାନ୍ତି ବିୟର ପାର୍ଲର ଓ ସ୍ବାଗତ ବାର୍‌ରେ ଚଢାଉବେଳେ ବେଆଇନ ଭାବେ ମଦ ପରଷା ଯାଉଥିବାବେଳେ ଡ୍ୟାନ୍ସ ମଧ୍ୟ ଚାଲିଥିଲା। ଲକ୍ଷ୍ମୀସାଗର ଥାନା ଅଧିକାରୀ ଭରତ କୁମାର ସାହୁ ଉକ୍ତ ୨ଟି ବାର୍‌କୁ ତୁରନ୍ତ ସିଲ୍‌ କରିବା ସହ ୨ ହଜାର ଟଙ୍କା ଲେଖାଏ ଜରିମାନା ଆଦାୟ କରିଥିଲେ। ସେହିପରି କ୍ୟାପିଟାଲ ଥାନାଞ୍ଚଳରେ ଥିବା ଅଜିତ ବାର୍‌ ଓ ଖାରବେଳ ନଗର ଥାନାଞ୍ଚଳର ମ୍ୟାଡ୍‌ ମୁଲ୍‌ ବାର୍‌କୁ ସିଲ୍‌ ସହ ୨ହଜାର ଲେଖାଏ ଜରିମାନା ଆଦାୟ ହୋଇଛି। ଏ ନେଇ ଅବକାରୀ ବିଭାଗକୁ ଅବଗତ କରାଯିବା ସହ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗହଣ କରାଯିବ ବୋଲି ଥାନାଧିକାରୀ କହିଛନ୍ତି। ହେଲେ ଶହୀଦନଗର, ଚନ୍ଦ୍ରଶେଖରପୁର, ବାଲିଅନ୍ତା ଓ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ୮ଟି ବାର୍‌ରେ ମଦ ମଉଜ ସହ ଡ୍ୟାନ୍ସ ଚାଲିଥିଲେ ମଧ୍ୟ ହାତ ମରାଯାଇନି। ସେଠାରେ ବଡ଼ବଡ଼ିଆ ଓ ଭିଆଇପିମାନେ ରହିଥିବାରୁ ପୋଲିସ ଚଢ଼ାଉ କରି ନ ଥିବା ଅଭିଯୋଗ ଉଠିଥିଲା। ତେବେ ଏହାକୁ ସ୍ଥାନୀୟ ଥାନାଧିକାରୀମାନେ ଅସ୍ବୀକାର କରିବା ସହ ସେଗୁଡ଼ିକ ବନ୍ଦ ହୋଇଯାଇଥିବାରୁ ଚଢ଼ାଉ ହୋଇ ନ ଥଲା। ରବିବାର ପୁଣି ଚଢ଼ାଉ କରାଯିବ। ଭିଡ଼ ହେଉଥିବା ବା ନିୟମ ଉଲ୍ଲଂଘନ କରୁଥିବା ବାର୍‌ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେମାନେ କହିଛନ୍ତି।

Share