୪ ବାଇକ୍‌ ଜାଳିଦେଲେ ଦୁର୍ବୃତ୍ତ

ଜଗତ୍‌ସିଂହପୁର ଅଫିସ,୧୦ା୫: ଜଗତ୍‌ସିଂହପୁର ବଡବଜାରରେ ଶିଶୁ ମନ୍ଦିର ନିକଟ ଶତ୍ରୁଘ୍ନ ସାହୁଙ୍କ ଘର ପାର୍କିଂ ସ୍ଥାନରେ ସୋମବାର ବିଳମ୍ବିତ ରାତିରେ କୌଣସି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି। ଫଳରେ ୪ଟି ବାଇକ୍‌ ପୋଡ଼ିଯାଇଥିବାବେଳେ ଆଉ କିଛି ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ଏନେଇ ଜଗତ୍‌ସିଂହପୁର ଥାନାରେ ଅଭିଯୋଗ ହୋଇଛି। ପୋଲିସ ମାମଲା (ନଂ.୨୭୫/୨୨) ରୁଜୁ କରି ତଦନ୍ତ ଜାରି ରଖିଛି। ସାହୁଙ୍କ ପରିବାର ପକ୍ଷରୁ କୁହାଯାଇଛି, ତାଙ୍କ ବିଲ୍ଡିଂରେ ସେମାନଙ୍କ ସହ କିଛି ପରିବାର ଭଡା ସୂତ୍ରରେ ରୁହନ୍ତି। ରାସ୍ତା ପାର୍ଶ୍ୱ ତାଙ୍କ ବିଲ୍ଡିଂ ପରିସର ପାର୍କିଂ ସ୍ଥାନରେ ଦୀର୍ଘ ବର୍ଷ ହେବ ବାଇକ୍‌ ଆଦି ରଖାଯାଏ। ସେଠାରେ ନିଅଁା ଲଗାଇଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଧରିବା ପାଇଁ ସାହୁ ଦାବି କରିଛନ୍ତି। ଜଗତ୍‌ସିଂହପୁରରେ ବ୍ରାଉନସୁଗାର ର଼୍ୟାକେଟ୍‌ ସକ୍ରିୟ ରହିଛି । ଏଠାରେ ପ୍ରାୟ ପ୍ରତି ସାହି, ଗଳିରେ ବିଶେଷକରି ଅନେକ ଯୁବଗୋଷ୍ଠୀ ନିଶା କବଳରେ କବଳିତ ହେବାରେ ଲାଗିଛନ୍ତି। କୌଣସି ଦୁର୍ବୃତ୍ତ ବ୍ରାଉନ୍‌ସୁଗାର ସେବନ କରିବା ପରେ ସେଠାରେ ନିଆଁ ଲଗାଇ ଦେଇଥିବା କୁହାଯାଉଛି । ଅନ୍ୟପଟେ ବ୍ୟକ୍ତିଗତ ରାଗ କିମ୍ବା ପାରିବାରିକ କଳହରୁ ଏଭଳି କାଣ୍ଡ ଘଟିଥିବା ଚର୍ଚ୍ଚା ହେଉଛି । ତଦନ୍ତ ପରେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ପୋଲିସ କହିଛି।

Share