ଗୋଟିଏ ପରିବାରରୁ ୪ପ୍ରାର୍ଥୀ, ଜିତିଲେ ୩

ବୌଦ୍ଧ, ୨।୩ (ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକରେ ଗୋଟିଏ ପରିବାରରୁ ପ୍ରାର୍ଥୀ ହୋଇଥିଲେ ୪ଜଣ। ସେମାନଙ୍କ ମଧ୍ୟରୁ ୩ଜଣ ବିଜୟୀ ହୋଇଥିବାବେଳେ ଜଣେ ପରାଜିତ ହୋଇଛନ୍ତି। ବ୍ଲକର ଭାଜପାର ଟାଣୁଆନେତା ସୁଶାନ୍ତ ପ୍ରଧାନଙ୍କ ପରିବାର ୨ଭାଇ ଓ ୨ ବୋହୂ ସମିତି ସଭ୍ୟ ପାଇଁ ପୃଥକ୍‌ ପୃଥକ୍‌ ପଞ୍ଚାୟତରୁ ପ୍ରାର୍ଥୀ ହୋଇଥିଲେ।
ସରୋଜ କୁମାର ପ୍ରଧାନ ରାଧାନଗର ପଞ୍ଚାୟତ, ତାଙ୍କ ସ୍ତ୍ରୀ ସ୍ନେହଲତା ସାମ୍ପୋଚ ପଞ୍ଚାୟତରୁ ପ୍ରାର୍ଥୀ ହୋଇଥିଲେ। ଅନ୍ୟ ଭାଇ ପ୍ରଶାନ୍ତ କୁମାର ପ୍ରଧାନ ବାଣୀଭୂଷଣପୁର ପଞ୍ଚାୟତ ତାଙ୍କ ସ୍ତ୍ରୀ ମମତା କରଞ୍ଜକଟା ପଞ୍ଚାୟତରୁ ସମିତିସଭ୍ୟ ଭାବେ ପ୍ରାର୍ଥୀହୋଇ ନିର୍ବାଚନ ଲଢିଥିଲେ। ହରଭଙ୍ଗା ବ୍ଲକରେ ଶାସକ ଦଳର ଦୃଢସଙ୍ଗଠନ ଥିବା ସତ୍ତ୍ୱେ ପ୍ରଧାନ ପରିବାର ୩ ସଦସ୍ୟ ସରୋଜ, ସ୍ନେହଲତା, ପ୍ରଶାନ୍ତ ବିଜୟୀ ହୋଇଛନ୍ତି।
ବୌଦ୍ଧ ଜିଲାର ହରଭଙ୍ଗା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ବ୍ଲକ। ୨୨ପଞ୍ଚାୟତକୁ ନେଇ ଏହା ଗଠିତ। ଚଳିତ ପଞ୍ଚାୟତ ନିର୍ବାଚନରେ ଏହି ବ୍ଲକର ଅଧ୍ୟକ୍ଷ ପଦ ହାତେଇବା ପାଇଁ ଉଭୟ ଭାଜପା, ବିଜେଡି ସମର୍ଥକମାନେ ବେଶ୍‌ ଆଶାବାଦୀ ଅଛନ୍ତି। ଏଠାକାର ଭାଜପା ନେତା ସୁଶାନ୍ତ ନିଜେ ଓ ନିଜର ସମର୍ଥକଙ୍କୁ ଅତୀତରେ ଅଧ୍ୟକ୍ଷ ପଦରେ ବସାଇଛନ୍ତି। ୨୦୧୨ ନିର୍ବାଚନରେ ପୁଷ୍ପାଞ୍ଜଳି ନାଏକଙ୍କୁ ଅଧ୍ୟକ୍ଷ ପଦରେ ବସାଇଥିଲେ ମଧ୍ୟ ଶାସକ ଦଳ ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଅଣାଯାଇ ପଦ ଅଧାରୁ ଛଡାଇ ନିଆଯାଇଥିଲା। ୨୦୧୭ ନିର୍ବାଚନରେ ଶାସକଦଳର ବିଶ୍ୱଜିତ ମିଶ୍ର ଅଧ୍ୟକ୍ଷ ହୋଇଥିଲେ। ଏଥର ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଅଧ୍ୟକ୍ଷ ପଦ ଆଶାରେ ପ୍ରଧାନ ପରିବାରରୁ ୨ ବୋହୂ ଓ ୨ଭାଇ ବ୍ଲକର ବିଭିନ୍ନ ପଞ୍ଚାୟତରେ ସମିତିସଭ୍ୟ ଭାବେ ନିର୍ବାଚନ ଲଢିଥିଲେ। ବ୍ଲକରେ ଜିତିଥିବା ସମିତି ସଭ୍ୟମାନଙ୍କୁ ଦେଖିବାକୁ ଗଲେ ପ୍ରଧାନ ପରିବାର ହାତକୁ ଅଧ୍ୟକ୍ଷ ପଦ ଯାଇପାରେ ବୋଲି ରାଜନୀତି ମହଲରେ ଚର୍ଚ୍ଚା ଜୋର ଧରିଛି। ତେବେ ଅଧ୍ୟକ୍ଷ ପଦ ଭାଜପା ସମର୍ଥକଙ୍କ ହାତରେ ରହୁଛି କି ବିଜେଡି ସମର୍ଥକଙ୍କ ହାତରେ ରହୁଛି ତାହା ଆଗାମୀ ଦିନରେ ଜଣାପଡ଼ିବ।

Share