ପଦ୍ମପୁର, ୧୬ା୬(ଡି.ଏନ୍.ଏ.): ବରଗଡ଼ ଜିଲା ପଦ୍ମପୁର ବ୍ଲକରେ ଏବେ ସମବାୟ ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଛି। ବ୍ଲକର ଦହିଗାଁ ପ୍ରାଥମିକ ସେବା ସମବାୟ ସମିତିରେ ଚଳିତ ଥର ଏକ ରୋଚକ ସ୍ଥିତି ସୃଷ୍ଟି ହୋଇଛି । ଆଗାମୀ ୨୬ ତାରିଖରେ ହେବାକୁ ଥିବା ଏହି ସମିତି ନିର୍ବାଚନରେ ୧୫ଟି ଜୋନ୍ ପାଇଁ ୩୧ ଜଣ ପ୍ରାର୍ଥୀ ଥିବାବେଳେ ଭୋଟର ୯୧୧ ଜଣ ଅଛନ୍ତି । ସେମାନଙ୍କ ମଧ୍ୟରୁ ତିନୋଟି ସନ୍ତାନ ଥିବାରୁ ୨ଜଣ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର ନାକଚ ହୋଇଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜୋନ୍ ୧୪ର ନିର୍ଦ୍ଦେଶକ ପଦ ନିର୍ବାଚନକୁ ନେଇ। ଏଠାରେ ନବୀନ ବେହେରା, ଅଗସ୍ତି ଛତର, ମହେଶ୍ବର ପୁରୀ ଓ ଧରଣୀଧର ସାହୁ ପ୍ରାର୍ଥୀ ହୋଇଛନ୍ତି। ସେମାନଙ୍କୁ ସୁଦାମ ସେଠ ନାମକ ଜଣେ ମାତ୍ର ଭୋଟର ଭୋଟ ଦେବେ। ସେହିପରି ୧୩ ନମ୍ବର ଜୋନରେ ୨ଜଣ ପ୍ରାର୍ଥୀ ଥିବାବେଳେ ୪ଜଣ ଭୋଟର ଅଛନ୍ତି। ଏହି ଭୋଟକୁ ହାତେଇବା ପାଇଁ ପ୍ରାର୍ଥୀମାନେ ଜୋରଦାର ଉଦ୍ୟମ କରୁଥିବା ବେଳେ ସମ୍ପୃକ୍ତ ଭୋଟର ଧରାଛୁଆଁ ଦେଉନାହାନ୍ତି।