Advertisement

ପାଳିରେ ହେଉ ୪ ରାଜଧାନୀ: ମମତା

କୋଲକାତା, ୨୪।୧: ଭାରତରେ ପାଳିକରି ୪ଟି ରାଜଧାନୀ ହେବା ଆବଶ୍ୟକ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ନେତାଜୀ ଜୟନ୍ତୀ ପାଳନ ଅବସରରେ ଏକ ସଭାକୁ ସମ୍ବୋଧିତ କରି ମମତା କହିଥିଲେ, ଭାରତରେ ଗୋଟିଏ ନୁହେଁ, ପାଳିକରି ୪ଟି ରାଜଧାନୀ ରହିବା ଆବଶ୍ୟକ। ବ୍ରିଟିଶ ଶାସନ ବେଳେ କୋଲକାତାରୁ ସାରା ଦେଶକୁ ଶାସନ କରାଯାଉଥିଲା। ତେବେ ଦେଶରେ କେବଳ ଗୋଟିଏ ରାଜଧାନୀ ସହର କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ। ମୋଦି ସରକାର ଉଚ୍ଛେଦ କରିଥିବା ଯୋଜନା କମିଶନକୁ ପୁନର୍ବାର ସ୍ଥାପନ କରିବା ଲାଗି ମଧ୍ୟ ସେ ଦାବି କରିଥିଲେ। ନୀତି ଆୟୋଗ ଏବଂ ଯୋଜନା କମିଶନ ଏକତ୍ର ରହିପାରିବ। ନେତାଜୀ ସୁଭାଷ ହିଁ ଯୋଜନା କମିଶନର ଅବଧାରଣା କରିଥିଲେ । ସେହିପରି ନେତାଜୀଙ୍କ ଜୟନ୍ତୀକୁ ଦେଶବ୍ୟାପୀ ଛୁଟିଦିନ ଘୋଷଣା କରିବାକୁ ମମତା ଦାବି କରିଥିଲେ। ନେତାଜୀ ଯେତେବେଳେ ଭାରତୀୟ ଜାତୀୟ ବାହିନୀ ଗଢ଼ିଥିଲେ, ସେତେବେଳେ ଗୁଜରାଟ, ବେଙ୍ଗଲ, ତାମିଲନାଡୁ ସମେତ ସବୁ ଅଞ୍ଚଳରୁ ଲୋକଙ୍କୁ ସେଥିରେ ସାମିଲ କରିଥିଲେ। ସେ ବ୍ରିଟିଶମାନଙ୍କ ‘ବିଭାଜନ ଓ ଶାସନ’ ନୀତିକୁ ବିରୋଧ କରୁଥିଲେ। କେନ୍ଦ୍ର ସରକାର ପ୍ରତିମୂର୍ତ୍ତି ଓ ନୂଆ ପାର୍ଲାମେଣ୍ଟ କମ୍ପ୍ଲେକ୍ସ ନିର୍ମାଣରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଆମେ ଆଜାଦ ହିନ୍ଦ୍‌ ସ୍ମାରକୀ ନିର୍ମାଣ କରି ଦେଖାଇଦେବୁ ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share