ଗୋଟିଏ ଦିନରେ ଅବସର ନେଲେ ୪ ମୁଖ୍ୟ ଅଧିକାରୀ

ଏମ.ରାମପୁର,୩୦।୬(ଶଶୀଭୂଷଣ ପ୍ରହରାଜ): ଗୋଟିଏ ଦିନରେ ରବିବାର ଏକା ଥରକେ ୪ଜଣ ମୁଖ୍ୟ ଅଧିକାରୀ, ଅଧିକାରିଣୀ ଅବସର ନେଇଛନ୍ତି। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲା ଏମ.ରାମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ। ଅବସର ନେଇଥିବା ଅଧିକାରୀ, ଅଧିକାରିଣୀ ହେଲେ ବିଇଓ ସଙ୍ଗୀତା ମହାନ୍ତି, ଏବିଇଓ ବେଣୁ କୁମାର, ପ୍ରତିଷ୍ଠାନ ଅଧିକାରୀ ବିଶ୍ୱନାଥ ନାୟକ, ହିସାବ ରକ୍ଷକ ଜିତେନ୍ଦ୍ର ମହାନ୍ତି ପ୍ରମୁଖ। ଏହି ସମସ୍ତ ଅଧିକାରିଣୀ, ଅଧିକାରୀଙ୍କ ଚାକିରି କାଳ ରବିବାର ସମାପ୍ତ ହେଇଛି।
୨୦୨୩ ଅଗଷ୍ଟରେ ପଦୋନ୍ନତି ପାଇ ସଙ୍ଗୀତା ମହାନ୍ତି ଏଠାରେ ବିଇଓ ଭାବେ ଯୋଗଦାନ କରିଥିଲେ। ବିଶ୍ୱନାଥ ନାୟକ ମଧ୍ୟ ପଦୋନ୍ନତି ପାଇ ପ୍ରତିଷ୍ଠାନ ଅଧିକାରୀ ଭାବେ ଗତବର୍ଷ ଯୋଗଦାନ କରିଥିଲେ। ଜିତେନ୍ଦ୍ର ମହାନ୍ତି ମଧ୍ୟ ଗତବର୍ଷ ଏଠାରେ ଯୋଗଦାନ କରିଥିଲେ।
ଗତ ଦେଢ଼ ବର୍ଷ ଧରି ଏହି ବିଇଓ କାର୍ଯ୍ୟାଳୟରେ ପରିଚାଳନାଗତ ଅବ୍ୟବସ୍ଥା ଜାରି ରହିଥିଲ। ବୃତ୍ତିଗତ, ଆର୍ଥିକ, ପରିଚାଳନାଗତ, ସମନ୍ବୟଗତ ଅବ୍ୟବସ୍ଥା ଲାଗି ରହିଥିବାରୁ ଠିକଣା ସମୟେ ଶିକ୍ଷୟିତ୍ରୀ, ଶିକ୍ଷକ ସରକାରୀ ବ୍ୟବସ୍ଥାଗତ ଲାଭଠାରୁ ଦୂରେଇ ଯାଇଛନ୍ତି। ଅନ୍ୟ ବ୍ଲକରେ ଶିକ୍ଷକମାନଙ୍କୁ ଗ୍ରେଡ ପେ ବୃଦ୍ଧି ହୋଇ ଅନେକ ମାସ ବିତିଯିବା ପରେ ମଧ୍ୟ ଏମ. ରାମପୁରଠାରେ ବ୍ୟତିକ୍ରମ ଘଟିଛି। ସେହିଭଳି ଗତ ଦୁଇ ବର୍ଷ ଧରି ଶିକ୍ଷକଙ୍କ ସେବା ପୁସ୍ତିକା ପରିଚାଳନା ହୋଇନାହିଁ। ଗତବର୍ଷର ସମସ୍ତ ବିଦ୍ୟାଳୟର ପୋଷାକ ବିତରଣର ୪୦ପ୍ରତିଶତ ଅନୁଦାନ ଦିଆଯାଇନାହିଁ। କତ୍ତୃପକ୍ଷଙ୍କ ସହିତ ଶିକ୍ଷକ ସଂଘର ଗୋପନୀୟ ବୁଝାମଣା ହେତୁ ଶିକ୍ଷକ, ଶିକ୍ଷାନୁଷ୍ଠାନ ସମସ୍ୟାର ସମାଧାନ ବାଟ ବାହାରୁ ନାହିଁ। ନିୟମିତ ଅଧିକାରୀ ଥାଇ ସମସ୍ୟା ସମାଧାନ ହୋଇ ନ ଥିବା ବେଳେ ଆଗକୁ ଭାରପ୍ରାପ୍ତ ସୀମିତ ଅଧିକାରୀଙ୍କୁ ନେଇ ସମସ୍ୟା ସମାଧାନ ଆଶା କ୍ଷୀଣ। ତେଣୁ ଖାଲି ହୋଇଥିବା ୪ଟି ପଦବୀରେ ନିୟମିତ ଅଧିକାରୀ ନିଯୁକ୍ତ କରିବା ବାଞ୍ଛନୀୟ ବୋଲି ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି।

Share