ବୈପାରିଗୁଡ଼ା,୧୩।୧ (ଡି.ଏନ୍.ଏ.) ହାଇଦ୍ରାବାଦରେ ବନ୍ଧାପଡ଼ିଛନ୍ତି ଶିଶୁ ଶ୍ରମିକ ଶୀର୍ଷକ ଖବର ଗତ ୭ ତାରିଖରେ ଧରିତ୍ରୀରେ ପ୍ରକାଶ ପାଇବା ପରେ ଜିଲା ଶ୍ରମ ବିଭାଗ ହାଇଦ୍ରାବାଦରେ ନିର୍ଯାତିତ ଶିଶୁ ଶ୍ରମିକଙ୍କୁ ଓଡ଼ିଶା ଫେରାଇ ଆଣିବା ଦିଗରେ ପଦକ୍ଷେପ ନେଇଛି। ଫଳରେ ଏହି ୯ ଶିଶୁ ଶ୍ରମିକ ହାଇଦ୍ରାବାଦରୁ ମୁକୁଳି ଓଡ଼ିଶା ଫେରୁଥିବା ଜିଲା ଶ୍ରମ ଅଧିକାରୀ ପ୍ରସନ୍ନ ପାଣିଗ୍ରାହୀ କହିଛନ୍ତି। ହାଇଦ୍ରାବାଦର ଶ୍ରମ ଅଧିକାରୀ ଓ ପୋଲିସ ସହାୟତାରେ ଏହି ଶିଶୁ ଶ୍ରମିକଙ୍କୁ ମୁକ୍ତ କରାଯାଇଥିବା ପାଣିଗ୍ରାହୀ କହିଛନ୍ତି। ସେମାନଙ୍କ ବୟାନ ରେକର୍ଡ ପରେ ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ହାଇଦ୍ରାବାଦ୍ରୁ ଫେରୁଥିବା ଏହି ଶିଶୁ ଶ୍ରମିକମାନଙ୍କ ସହ ଯୋଗାଯୋଗ କରିବାରୁ ସମ୍ପୃକ୍ତ ଠିକାଦାର ୩ ମାସର ମଜୁରି ବଦଳରେ ମାତ୍ର ଗୋଟିଏ ମାସର ଦେଇ ସେମାନଙ୍କୁ ପଠାଇ ଦେଇଥିବା ପ୍ରକାଶ କରିଛନ୍ତି। ଏହି ଶିଶୁ ଶ୍ରମିକମାନେ ପରିବାରର ଆର୍ଥତ୍କ ସମସ୍ୟା ଓ ଦଲାଲଙ୍କ ପ୍ରଲୋଭନର ଶିକାର ହୋଇ ୩ ମାସ ତଳେ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ। ସେଠାରେ ସେମାନେ ଜଣେ ଠିକାଦାରଙ୍କ ଦ୍ବାରା ଏକ ଚକୋଲେଟ୍ ଫାକ୍ଟ୍ରିରେ ନିୟୋଜିତ ହୋଇଥିଲେ। ଅସ୍ବାସ୍ଥ୍ୟକର ପରିବେଶରେ ରହିବା ସହ ଦିନକୁ ୧୨ ଘଣ୍ଟା କାମ କରିବାକୁ ସେମାନଙ୍କୁ ବାଧ୍ୟ କରାଯାଉଥିଲା। ଏପରିକି ଦେହ ଅସୁସ୍ଥ ହେଲେ ମଧ୍ୟ କାମ କରିବାକୁ ପଡୁଥିଲା। କାମ ନ କଲେ ମାଡ଼ ମରାଯାଉଥିବା ମୁକୁଳିଥିବା ଏହି ଶ୍ରମିକମାନେ ପ୍ରକାଶ କରିଛନ୍ତି। ମାସକୁ ୧୨ ହଜାର ଟଙ୍କା ମଜୁରି ଦେବାକୁ କହିଥିଲେ ମଧ୍ୟ ଠିକାଦାର ଟଙ୍କା ନ ଦେଇ ଦିନ ଗଡାଇ ଚାଲିଥିଲେ। ପରିବାର ଲୋକଙ୍କ ସହ ଫୋନ୍ରେ କଥା ହେବାକୁ ମଧ୍ୟ ଦେଉ ନ ଥିଲେ। ଏପରି ସ୍ଥଳେ ଏହି ଶିଶୁ ଶ୍ରମିକଙ୍କ ପରିବାର ଲୋକେ ଧରିତ୍ରୀର ବୈପାରିଗୁଡ଼ା ପ୍ରତିନିଧିଙ୍କ ସହ ଯୋଗାଯୋଗ କରିଥିଲେ। ଶେଷରେ ଏହି ଶିଶୁ ଶ୍ରମିକମାନେ ସେଠାରୁ ମୁକୁଳିଥିଲେ।