Categories: ଜାତୀୟ

କ୍ରସ୍‌ ଭୋଟିଂ କରିବେ ୪ କଂଗ୍ରେସ ବିଧାୟକ

ନୂଆଦିଲ୍ଲୀ,୮।୬: ରାଜ୍ୟ ସଭା ନିର୍ବାଚନ ବେଳେ ରାଜସ୍ଥାନର ୪ କଂଗ୍ରେସ ବିଧାୟକ କ୍ରସ ଭୋଟିଂ କରିବେ। ଭାଜପା ସମର୍ଥତ୍ତ ସ୍ବାଧୀନ ପ୍ରାର୍ଥୀ ସୁଭାଷ ଚନ୍ଦ୍ରା ଏହି ସୂଚନା ଦେଇଛନ୍ତି। କଂଗ୍ରେସ ବିଧାୟକଙ୍କ କ୍ରସ ଭୋଟିଂ ଯୋଗୁ ସେ ରାଜ୍ୟ ସଭା ନିର୍ବାଚନ ଜିତିବେ ବୋଲି ଦାବି କରିଛନ୍ତି। ରାଜ୍ୟରେ ଶୀର୍ଷ ପଦବୀ ପାଇଁ ଆଶାୟୀ ଥିବା କଂଗ୍ରେସର ସଚିନ ପାଇଲଟ ତାଙ୍କୁ ଏହି ବାର୍ତ୍ତା ଦେଇଥିବା ସୁଭାଷ କହିଛନ୍ତି। ତାଙ୍କ କହିବା ଅନୁଯାୟୀ, ସଚିନଙ୍କ ପିତା ରାଜେଶ ପାଇଲଟ୍‌ ତାଙ୍କ ବନ୍ଧୁ। ଜଣେ ଯୁବ ଓ ଲୋକପ୍ରିୟ ନେତା ଭାବେ ସଚିନଙ୍କ ପାଇଁ ଏବେ ସୁଯୋଗ ରହିଛି ବୋଲି ସେ କହିଛନ୍ତି। ପ୍ରତିଶୋଧ ନେବା କିମ୍ବା ଏକ ବାର୍ତ୍ତା ଦେବା ଲାଗି ସେ ଏହାକୁ ସୁଯୋଗ ଭାବେ ନେଇପାରିବେ। ଯଦି ସେ ସୁଯୋଗ ହାତଛଡ଼ା କରନ୍ତି, ତେବେ ୨୦୨୮ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ ବୋଲି ସୁଭାଷ କହିଛନ୍ତି।
ରାଜ୍ୟ ସଭା ନିର୍ବାଚନ ୧୦ ତାରିଖରେ ହେବାକୁ ଥିବାବେଳେ ଘୋଡ଼ାବେପାର ଆଶଙ୍କାରେ ରାଜସ୍ଥାନ କଂଗ୍ରେସ ଏହାର ବିଧାୟକମାନଙ୍କୁ ଉଦୟପୁରସ୍ଥିତ ତାଜ ଆରାବଳି ରିସର୍ଟରେ ରଖିଛି। ଗତ ଗୁରୁବାର ସେମାନେ ଏକ ବସ୍‌ରେ ସେଠାକୁ ଯାଇଥିଲେ। ୬ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ଚେତାବନୀ ପରେ ସେମାନେ ରବିବାର ସେଠାକୁ ଫେରିଥିଲେ। ଭିନ୍ନ ମତ ରଖିଥିବା ଏହି ବିଧାୟକଙ୍କ ମଧ୍ୟରେ ଜଣେ ମନ୍ତ୍ରୀ ଥିବା କୁହାଯାଇଥିଲା। ରିସର୍ଟଠାରୁ ଦୂରେଇ ରହିଥିବା ଏହି ବିଧାୟକମାନେ କ୍ରସ୍‌ଭୋଟିଂ କରିବା ସମ୍ଭାବନା ଥିବାରୁ ସରକାରଙ୍କ ମୁଖ୍ୟ ହୁଇପ୍‌ ତଥା କ୍ୟାବିନେଟ ମନ୍ତ୍ରୀ ମହେଶ ଯୋଷୀ ଦୁର୍ନୀତି ନିବାରଣ ବ୍ୟୁରୋକୁ ପତ୍ର ଲେଖି ଘୋଡ଼ାବେପାର ଉଦ୍ୟମ ଅଭିଯୋଗର ତଦନ୍ତ କରିବାକୁ ଅନୁରୋଧ କରିଥିଲେ।

Share