Categories: ବାଣିଜ୍ୟ

ଆଜିଠାରୁ ୪ ଦିନିଆ ଆଇଟି ଏକ୍ସପୋ

ଭୁବନେଶ୍ୱର,୫।୧୦: ଇନ୍‌ଫର୍ମେଶନ ଟେକ୍ନୋଲୋଜି ଆସୋସିଏଶନ ଅଫ୍‌ ଓଡ଼ିଶା (ଆଇଟିଏଓ) ପକ୍ଷରୁ ଆୟୋଜିତ ୪ ଦିନିଆ ଆଇଟି ଏକ୍ସପୋ ଗୁରୁବାର (ଆଜିଠାରୁ) ଆରମ୍ଭ ହେଉଛି ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଏକ୍ସପୋ ୨୦୨୩ ଅକ୍ଟୋବର ୫ ରୁ ୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଜନତା ମଇଦାନଠାରେ ଆୟୋଜିତ ହେବ। ଉକ୍ତ ଆଇଟି ଏକ୍ସପୋରେ ୫୦ରୁ ଅଧିକ ଆଇଟି ଆଧାରିତ କମ୍ପାନୀ ଅଂଶଗ୍ରହଣ କରିୁଥିବାବେଳେ ୬୦ରୁ ଅଧିକ ବ୍ରାଣ୍ଡ୍‌ ସେମାନଙ୍କ ସେବା ପ୍ରଦର୍ଶିତ କରିବେ ବୋଲି ଆୟୋଜକ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଏହି ଏକ୍ସପୋର ବିଷୟବସ୍ତୁ ହେଉଛି ‘ଡିସ୍କଭର ଅନ୍‌ଲାଇନ, ଏକ୍ସପେରିଏନ୍ସ ଅଫ୍‌ଲାଇନ’। ଅପରପକ୍ଷରେ ଆୟୋଜକମାନେ ରାଜ୍ୟର ଆଇଟି ଇକୋସିଷ୍ଟମକୁ ଉନ୍ନତ ଓ ମଜଭୁତ କରିବା ପାଇଁ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛନ୍ତି।

ଆଇଟି ଏକ୍ସପୋ-୨୦୨୩ ରେ ଏଗ୍‌ଜିବିଶନ ସ୍ପେସ୍‌, ଷ୍ଟଲ୍‌ ସ୍ପେସ୍‌, ଏକ୍ସପେରିଏନ୍ସ ଜୋନ୍‌, ଫୁଡ୍‌ ଜୋନ୍‌ ଆଦି ରହିବ ବୋଲି ଆଇଟିଏଓର ଅଧ୍ୟକ୍ଷ ଅବିନାଶ ପଟ୍ଟନାୟକ ମତପ୍ରକାଶ କରିଛନ୍ତି। ସେହିଭଳି ଉକ୍ତ ଏକ୍ସପୋକ ବିଭିନ୍ନ ବର୍ଗର ବ୍ୟବସାୟ, ଏମ୍‌ଏସ୍‌ଏମ୍‌ଇ, ଷ୍ଟାର୍ଟଅପ୍‌, ଉଦ୍ୟୋଗୀ, ସରକାରୀ ବିଭାଗ, ପିଏସ୍‌ୟୁ ଓ କର୍ପୋରେଶନ ସଂସ୍ଥା, କଲେଜ ଓ ସ୍କୁଲ ଛାତ୍ରୀଛାତ୍ରଙ୍କ ସମେତ ସାଧାରଣ ଜନତାଙ୍କ ଉତ୍ସାହପୂର୍ଣ୍ଣ ଯୋଗଦାନ ରହିବ ବୋଲି ଆଶା କରାଯାଉଛି।

Share