ଲଣ୍ଡନ,୨୨।୨ : ବ୍ରିଟେନରେ, ଅନେକ କମ୍ପାନୀ ସପ୍ତାହରେ ଚାରି ଦିନ କାମ ଏବଂ ତିନି ଦିନ ଛୁଟି ପାଇଁ ପରୀକ୍ଷା ଆରମ୍ଭ କରିଛନ୍ତି । ଏହାର ରିପୋର୍ଟ ପ୍ରକାଶ ପାଇଛି। ଏହି ପରୀକ୍ଷା ବହୁତ ସଫଳ ବୋଲି କୁହାଯାଉଛି। ବ୍ରିଟେନର କର୍ମଚାରୀମାନେ ଏହି ନୀତିକୁ ବହୁତ ପସନ୍ଦ କରୁଛନ୍ତି।
ବ୍ରିଟେନର ୬୧ ଟି କମ୍ପାନୀର କର୍ମଚାରୀମାନେ ଜୁନ ରୁ ଡିସେମ୍ବର ୨୦୨୨ ମଧ୍ୟରେ ସପ୍ତାହର କାମ କରୁଥିବା ଚାରି ଦିନ ମଧ୍ୟରେ ହାରାହାରି ୩୪ ଘଣ୍ଟା କାର୍ଯ୍ୟ କରିଥିବା ଜଣାପଡ଼ିଛି। ସେଥିମଧ୍ୟରୁ ୫୬ ଟି କମ୍ପାନୀ, ଅର୍ଥାତ ୯୨ ପ୍ରତିଶତ ଏହି ଧାରା ଜାରି ରଖିବାକୁ ଯୋଜନା କରୁଥିବାବେଳେ୧୮ କମ୍ପାନୀ ସ୍ଥାୟୀ ଭାବରେ ଏହାକୁ ଲାଗୁ କରିଛନ୍ତି।
ଅଣ-ଲାଭକାରୀ ଗୋଷ୍ଠୀ ଫୋର ଡେ ଓ୍ବିକ୍ ଗ୍ଲୋବାଲ, ଫୋର୍ ଡେ ଓ୍ବିକ୍ ୟୁକେ କ୍ୟାମ୍ପେନ ଏବଂ ଅଟୋନମି ଦ୍ୱାରା ଆରମ୍ଭ ହୋଇଥିବା ଏହି ପାଇଲଟ କାର୍ଯ୍ୟକ୍ରମ ବେଶ ଆଦୃତି ଲାଭ କରିଛି। ଏହା ଅନ୍ତର୍ଗତ ପ୍ରାୟ, ୩ ହଜାର କର୍ମଚାରୀଙ୍କୁ ୫ ଦିନର ଅଫିସ କାମ ୪ ଦିନ ମଧ୍ୟରେ ସମାପ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯେତେବେଳେ ରିପୋର୍ଟ ପ୍ରକାଶ ପାଇଲା, ଫଳାଫଳ ସମସ୍ତଙ୍କୁ ଅତ୍ୟନ୍ତ ଚକିତ କରିଥିଲା। ଏହି ସମୟ ମଧ୍ୟରେ, ସମସ୍ତ କର୍ମଚାରୀ ପୂର୍ଣ୍ଣ ଉତ୍ସାହ ସହିତ କାମ କରୁଥିବା ଦେଖାଯାଇଥିଲା ଏବଂ କମ୍ପାନୀର ଉତ୍ପାଦକତା ତଥା ଗୁଣବତ୍ତା ଉପରେ କୌଣସି ବିଶେଷ ପ୍ରଭାବ ପଡ଼ି ନ ଥିଲା ।
ଏହି ପରୀକ୍ଷାକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଥିଲା। ଏକ ବ୍ରିଟିଶ ଭିତ୍ତିକ ଅନୁସନ୍ଧାନ ସଂଗଠନ ଏବଂ ନ୍ୟୁଜିଲାଣ୍ଡ ଭିତ୍ତିକ ଗୋଷ୍ଠୀ ଫୋର ଡେ ଓ୍ବିକ୍ ଗ୍ଲୋବାଲ ଦ୍ୱାରା ଏହାର ରିପୋର୍ଟ ପ୍ରକାଶ କରାଯାଇଛି। ଏହି ପ୍ରକଳ୍ପ ବିଭିନ୍ନ କାର୍ଯ୍ୟାଳୟରେ ଆରମ୍ଭ ହୋଇଥିଲା ଏବଂ ଏହାର ଫଳାଫଳ ସକାରାତ୍ମକ ହେବ ବୋଲି ଆଶା କରାଯାଉଥିଲା। ଏହା ଏକ ନୂତନ ପରୀକ୍ଷଣ ଯାହାକି କମ୍ପାନୀଗୁଡିକ ଦ୍ୱାରା ପ୍ରଶଂସିତ ହୋଇଛି ଏବଂ କର୍ମଚାରୀମାନେ ଏଥିରେ ସହମତି ପ୍ରକାଶ କରିଛନ୍ତି।