ପାକିସ୍ତାନୀ ବନ୍ଦୀଙ୍କ ମୁକ୍ତି ପାଇଁ ୪ ପଣବନ୍ଦୀ

ଓ୍ବାଶିଂଟନ୍‌, ୧୭ା୧: ଜଣେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ମୁକ୍ତ କରାଯିବା ଦାବିରେ ଆମେରିକାର ଟେକ୍ସାସ୍‌ ସ୍ଥିତ କୋଲେଭିଲ୍ଲେରେ ଇହୁଦୀମାନଙ୍କ ପ୍ରାର୍ଥନା ସ୍ଥଳୀ(ସିନେଗଗ୍‌)ରେ ଜଣେ ବ୍ୟକ୍ତି ଶନିବାର ୪ ଜଣଙ୍କ ମୁଣ୍ଡ ଜାମିନ ରଖିଥିଲେ। ପ୍ରାୟ ୧୦ ଘଣ୍ଟାର ଅପରେଶନ ପରେ ବନ୍ଧକ ଥିବା ସମ୍ପୃକ୍ତ ୪ ଜଣଙ୍କୁ ସୁରକ୍ଷିତ ଭାବେ ମୁକ୍ତ କରାଯାଇଛି। ଏଥିସହ ସୁରକ୍ଷାକର୍ମୀଙ୍କ ଗୁଳିରେ ବନ୍ଧୁକଧାରୀ ନିହତ ହୋଇଛନ୍ତି।
ବୈଜ୍ଞାନିକ ଆଫିୟା ସିଦ୍ଦିକିଙ୍କୁ ଆମେରିକାର ଜଣେ ସେନା ଅଧିକାରୀଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ଟେକ୍ସାସ୍‌ ଜେଲରେ ରଖାଯାଇଛି। ଆତଙ୍କବାଦୀ ସଙ୍ଗଠନ ଅଲ୍‌-କାଏଦା ସହ ସିଦ୍ଦିକିଙ୍କ ସମ୍ପର୍କ ରହିଛି। ଆଫିୟା ମାସାଚୁସେଟ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରୁ ସ୍ନାୟୁ ବିଜ୍ଞାନରେ ପିଏଚ୍‌ଡି କରିଛନ୍ତି। ୨୦୦୩ରେ ଜଣେ ଆତଙ୍କବାଦୀ ଖଲିଦ୍‌ ଶେଖ୍‌ ମହମ୍ମଦ ଆଫିୟାଙ୍କ ବିଷୟରେ ଆମେରିକାର ତଦନ୍ତକାରୀ ସଂସ୍ଥା ଏଫ୍‌ବିଆଇକୁ ସୂଚନା ଦେଇଥିଲେ। ଏହା ଆଧାରରେ ଆଫିୟାଙ୍କୁ ଆଫଗାନିସ୍ତାନରୁ ଗିରଫ କରାଯାଇଥିଲା। ସେଠାରେ ବଗ୍‌ରାମ୍‌ ଜେଲରେ ଜଣେ ଏଫ୍‌ବିଆଇ ଅଧିକାରୀଙ୍କୁ ସେ ହତ୍ୟା ଉଦ୍ୟମ କରିଥିଲେ। ଫଳରେ ତାଙ୍କୁ ସେଠାରୁ ଆମେରିକା ଅଣାଯାଇଥିଲା।

Share