୪ ଜିଲାର ୧୪ ହଜାର ମତ୍ସ୍ୟଜୀବୀ ପରିବାରକୁ ୨୧.୩୪ କୋଟି ସହାୟତା

ଭୁବନେଶ୍ୱର,୨।୭(ଅନିଲ ଦାସ)ବିରଳ ଅଲିଭ ରିଡ୍‌ଲେ କଇଛଙ୍କ ସୁରକ୍ଷା ନିମନ୍ତେ ଓଡ଼ିଶା ଉପକୂଳରେ ମାଛଧରା କଟକଣା ଲାଗୁ କରାଯାଇଥାଏ। ଏଥିଯୋଗୁ ଜଗତ୍‌ସିଂହପୁର ,କେନ୍ଦ୍ରାପଡ଼ା, ପୁରୀ ଓ ଗଞ୍ଜାମ ଜିଲାର ମତ୍ସ୍ୟଜୀବୀ ପ୍ରଭାବିତ ହୋଇଥାଆନ୍ତି। ଶନିବାର ଲୋକସେବା ଭବନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷତିଗ୍ରସ୍ତ ମତ୍ସ୍ୟଜୀବୀଙ୍କୁ ଜୀବିକା ସହାୟତା ପ୍ରଦାନ କରିଛନ୍ତି। ଉକ୍ତ ଜିଲାର ୧୪,୨୨୮ ସାମୁଦ୍ରିକ ମତ୍ସ୍ୟଜୀବୀ ପରିବାରକୁ ୧୫ ହଜାର ଟଙ୍କା ଲେଖାଏ ଜୀବିକା ସହାୟତା ରାଶି ପ୍ରଦାନ କରାଯାଇଛି। ମୋଟ ୨୧.୩୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ସହାୟତା ଦିଆଯାଇଛି। ପୂର୍ବରୁ ଏହି ମାଛଧରା କଟକଣା ସମୟରେ ପ୍ରଭାବିତ ସାମୁଦ୍ରିକ ମତ୍ସ୍ୟଜୀବୀ ପରିବାରକୁ ୭୫୦୦ ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯାଉଥିଲା। ଓଡ଼ିଶାର ୧୨୦ କିମି ସାମୁଦ୍ରିକ ଉପକୂଳ ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ଅନ୍ତୁଡ଼ିଶାଳ ଭାବେ ପରିଚିତ। ପ୍ରତିବର୍ଷ ହଜାର ହଜାର ମାଇଲ ଦୂରରୁ ଓଡ଼ିଶା ଉପକୂଳକୁ ସେମାନେ ଅଣ୍ଡାଦାନ ପାଇଁ ଆସିଥାନ୍ତି। ସେମାନଙ୍କ ଅଣ୍ଡାଦାନ ପ୍ରକ୍ରିୟାକୁ ସୁରକ୍ଷିତ କରିବା ନିମନ୍ତେ ଦେବୀ ନଦୀ ମୁହାଣ, ଧାମରା ମୁହାଣ, ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ନଭେମ୍ବର ୧ ତାରିଖରୁ ମେ’ ୩୧ ତାରିଖ ପର୍ଯ୍ୟନ୍ତ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବର୍ଷସାରା ମାଛଧରା କଟକଣା ଲାଗୁ କରାଯାଇଥାଏ।
ଏହି ଅବସରରେ ୨ ଜଣ ମତ୍ସ୍ୟଜୀବୀ ଗଞ୍ଜାମରୁ ଅଧୁ କାଳିଆ ଓ କେନ୍ଦ୍ରାପଡ଼ାରୁ ଭକ୍ତ ରଞ୍ଜନ ମାହାଳି ସେମାନଙ୍କ ମତ ଦେଇ କହିଛନ୍ତି, କଇଁଛ ଅଣ୍ଡା ଦେବା ସମୟରେ ସେମାନଙ୍କ ମାଛ ଧରିବା ଉପରେ କଟକଣା ଥାଏ। ରାଜ୍ୟ ସରକାର ଏଥିପାଇଁ ସେମାନଙ୍କୁ ୭,୫୦୦ ଟଙ୍କା ଲେଖାଏ ଦେଉଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କ ଦୁଃଖ ବୁଝି ଏହାକୁ ୨ ଗୁଣ କରିଛନ୍ତି ଓ ସେମାନଙ୍କ ପରିବାର ମୁହଁରେ ହସ ଫୁଟାଇଛନ୍ତି।

Share