୪ ଜିଲାକୁ ବଡ଼ ବିପଦ

ଭୁବନେଶ୍ୱର,୨୪।୫(ବ୍ୟୁରୋ)ସାମୁଦ୍ରିକ ଝଡ଼ ୟାସ୍‌ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲା ପାଇଁ ବଡ଼ ବିପଦ ସାଜିପାରେ ବୋଲି ଆଶଙ୍କା କରାଯାଉଛି। ବାତ୍ୟା ପ୍ରଭାବରେ ୨୫ ତାରିଖ ରାତିରୁ ଉପରୋକ୍ତ ୪ ଜିଲା ସମେତ ଯାଜପୁର, କଟକ, ପୁରୀ, ଖୋର୍ଦ୍ଧା ଜିଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ସେହିପରି ମୟୂରଭଞ୍ଜ, ଢେଙ୍କାନାଳ ଏବଂ ଗଞ୍ଜାମ ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟଲୋୱାର୍ନିଂ ଜାରି କରାଯାଇଛି। ୨୬ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର ଜିଲାରେ ପ୍ରବଳରୁ ଅତି ପ୍ରବଳ ଏବଂ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଜିଲାର ଗୋଟିଏ ଦୁଇଟି ସ୍ଥାନରେ ଅତିପ୍ରବଳ ଏପରି କି କେତେକ ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବା ନେଇ ଚେତାବନୀ ଦିଆଯାଇଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍‌ୱାର୍ନିଂ ଜାରି କରାଯାଇଛି। ଏଥିସହିତ ବାତ୍ୟା ପ୍ରଭାବରେ ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ଖୋର୍ଦ୍ଧା ଏବଂ ସୁନ୍ଦରଗଡ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ପ୍ରବଳ ବର୍ଷା ଯୋଗୁ ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ବାତ୍ୟା ଯୋଗୁ ସମୁଦ୍ର ଅଶାନ୍ତ ରହିବ। ୨୦ ଫୁଟ୍‌ ଉଚ୍ଚତାର ଢେଉ ଉଠିବା ସହିତ ବହୁ ଜୋରରେ ପବନ ବହିବ। ଗଭୀର ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନଙ୍କୁ ତୁରନ୍ତ କୂଳକୁ ଫେରି ଆସିବାକୁ କୁହାଯାଇଛି। ଆସନ୍ତା ୨୪ରୁ ୨୭ ତାରିଖ ଯାଏ ସମୁଦ୍ରକୁ ନ ଯିବା ଲାଗି ସତର୍କ କରାଯାଇଛି।

Share