ମେଡିକାଲରେ ଡାକ୍ତରଙ୍କ ଧୂମପାନ ଫଟୋ ଭାଇରାଲ

ପାତ୍ରପୁର,୨୭ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୪ଜଣ ଡାକ୍ତର ଏକାଠି ହୋଇ ଧୂମପାନ (ସିଗାରେଟ) କରୁଥିବା ଏକ ଫଟୋ ଶନିବାର ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଫଟୋଟି ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ପ୍ରେକ୍ଷାଳୟ ପରିସରରେ ଉଠାଯାଇଥିବା ଜଣାପଡୁଛି। ଶୁକ୍ରବାର ରାତିରେ ବଡଦିନ ପାଳନ ବେଳେ ଏହା ଉଠାଯାଇଥିବାବେଳେ ଶନିବାର ବିଭିନ୍ନ ମୋବାଇଲ୍‌ରୁ ମୋବାଇଲ ଘୂରି ବୁଲୁଥିଲା। ଏହାକୁ ନେଇ ଲୋକେ ନାନା କଥା କହୁଥିବାବେଳେ କେତେଜଣ ସାମାଜିକ କର୍ମୀ ଗଞ୍ଜାମ ଜିଲାପାଳ, ଜିଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଅବଗତ କରାଇଛନ୍ତି। ସର୍ବସାଧାରଣ ସ୍ଥାନରେ ଧୂମପାନ ପାଇଁ ବାରଣ କରାଯାଉଥିବାବେଳେ କରୋନା କଟକଣା ସତ୍ତ୍ୱେ ମେଡିକାଲ ପରିସରରେ ଖୋଦ୍‌ ଡାକ୍ତର ସିଗାରେଟ୍‌ ଟାଣିବାକୁ ବୁଦ୍ଧିଜୀବୀମାନେ ନିନ୍ଦା କରିଛନ୍ତି। ଏନେଇ ସିଡିଏମ୍‌ଓ ଉମାଶଙ୍କର ମିଶ୍ରଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଘଟଣା ସମ୍ପର୍କରେ ଅଭିଯୋଗ ପାଇଛି। ଏନେଇ ଏଡିପିଏଚ୍‌ଓଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି।