ଅନ୍ତର୍ଭୁକ୍ତ ହେବାକୁ ୪ ଯୋଗ୍ୟତାସୂଚକ ତାରିଖ

ଭୁବନେଶ୍ବର, ୨୧ା୭(ବ୍ୟୁରୋ): ନିର୍ବାଚନ ଆୟୋଗଙ୍କ ସଂଶୋଧିତ ନୂତନ ନିୟମ ଅନୁଯାୟୀ ତ୍ରୁଟିଶୂନ୍ୟ ଓ ନିର୍ଭୁଲ୍‌ ଭୋଟର ତାଲିକା ପ୍ରସ୍ତୁତି ନେଇ ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ଗୁରୁତ୍ୱାରୋପ କରିଛନ୍ତି। ଏଣିକି ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବା ଲାଗି ୪ଟି ଯୋଗ୍ୟତାସୂଚକ ତାରିଖ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ସବୁ ଜିଲାପାଳ/ଉପଜିଲାପାଳଙ୍କ ସହ ଏକ କର୍ମଶାଳାରେ ଅଂଶଗ୍ରହଣ କରିବା ଅବସରରେ ରାଜ୍ୟ ନିର୍ବାଚନ ଅଧିକାରୀ ଲୋହାନି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ନିକଟ ଅତୀତରେ କେନ୍ଦ୍ର ସରକାର ଲୋକ ପ୍ରତିନିଧି ଅଧିନିୟମ-୧୯୫୦ ଏବଂ ଲୋକ ପ୍ରତିନିଧି ଅଧିନିୟମ-୧୯୫୦ର ସଂଶୋଧନ କରିଛନ୍ତି। ସଂଶୋଧିତ ନିୟମକୁ ଲୋକ ପ୍ରତିନିଧି ଅଧିନିୟମ ୧୯୫୦ର ଧାରା ୧୪ (ଖ)ରେ ଅନ୍ତର୍ଭୁକ୍ତ କରାଯାଇଛି। ନୂଆ ପୂର୍ବରୁ ନୂଆ ଭୋଟରଙ୍କ ପାଇଁ ଗୋଟିଏ ଯୋଗ୍ୟତାସୂଚକ ତାରିଖ ରହିଥିଲା। ପ୍ରତିବର୍ଷ ଜାନୁୟାରୀ ୧କୁ ଏହି ସମୟ ଭାବେ ଗଣାଯାଉଥିଲା। ନୂତନ ନିୟମ ଅନୁସାରେ ଜାନୁୟାରୀ ୧, ଏପ୍ରିଲ ୧, ଜୁଲାଇ ୧ ଓ ଅକ୍ଟୋବର ୧ ସୁଦ୍ଧା ୧୮ ବର୍ଷ ହେଉଥିବା ସାବାଳକମାନେ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବା ପାଇଁ ଯୋଗ୍ୟ ବିବେଚିତ ହେବେ। ଫଳରେ ଯୁବ ତଥା ନୂତନ ଭୋଟରଙ୍କୁ ଭୋଟର ତାଲିକାରେ ନିଜ ନାମ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଭୋଟରଙ୍କ ଆଧାର ନମ୍ବରକୁ ସ୍ବେଚ୍ଛାକୃତ ଭାବେ ତାଲିକାଭୁକ୍ତ କରାଯିବ। ଏହାଦ୍ୱାରା ନିର୍ଭୁଲ୍‌ ଭୋଟର ତାଲିକା ପ୍ରସ୍ତୁତି ସହ ଦୋହରା ଭୋଟରଙ୍କୁ ରୋକାଯାଇପାରିବ। ଭୋଟର ତାଲିକାରେ ନାମ ଯୋଡ଼ିବା, ବାଦ୍‌ଦେବା, ନାମ ସଂଶୋଧନ କରିବା ଇତ୍ୟାଦି କାର୍ଯ୍ୟ ନିମନ୍ତେ ପୂର୍ବରୁ ଫର୍ମ ନଂ. ୬, ୭, ୮ ବ୍ୟବହାର କରାଯାଉଥିଲା। ଏବେ ଫର୍ମଗୁଡ଼ିକରେ ସଂଶୋଧନ କରାଯାଇ ନୂତନ ଫର୍ମ ନଂ. ୬ରେ ଭୋଟରମାନେ ତାଲିକାରେ କେବଳ ନାମ ପଞ୍ଜୀକରଣ ନିମନ୍ତେ ଆବେଦନ କରିପାରିବେ। ଗୋଟିଏ ନିର୍ବାଚନମଣ୍ଡଳୀରୁ ଅନ୍ୟ ଗୋଟିଏ ସ୍ଥାନକୁ ସ୍ଥାନାନ୍ତର ନିମନ୍ତେ ଫର୍ମ ନଂ. ୮ର ବ୍ୟବହାର କରାଯିବ। ପୂର୍ବଭଳି ଫର୍ମ ନଂ. ୭ରେ ଭୋଟର ତାଲିକାରୁ ନାମ ବାଦ୍‌ ଦିଆଯାଇପାରିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

Share