Categories: ଖେଳ

ଭାରତୀୟ ଦଳରେ ଓଡ଼ିଶାରୁ ୪

ନୂଆଦିଲ୍ଲୀ, ୨୭।୭ : ଜର୍ମାନୀର ଡୁସେଲଡର୍ଫଠାରେ ଚତୁଃରାଷ୍ଟ୍ରୀୟ ଜୁନିୟର ମହିଳା ହକି ଟୁର୍ନାମେଣ୍ଟ ଅଗଷ୍ଟ ୧୮ରୁ ୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଭାରତ, ଇଂଲଣ୍ଡ, ସ୍ପେନ୍‌ ଓ ଆୟୋଜକ ଜର୍ମାନୀ ଅଂଶଗ୍ରହଣ କରିବେ। ଏହି ସମ୍ମାନଜନକ ପ୍ରତିଯୋଗିତା ପାଇଁ ହକି ଇଣ୍ଡିଆ ପକ୍ଷରୁ ବୁଧବାର ୨୦ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାର ୪ ଖେଳାଳି ଗୋଲକିପର ମାଧୁରୀ କିଣ୍ଡୋ, ମିଡ୍‌ଫିଲ୍ଡର ସୁଜାତା କୁଜୁର, ଡିଫେଣ୍ଡର ଅଞ୍ଜଳି ବାରଓ୍ବା ଓ ଫରଓ୍ବାର୍ଡ ସୁନେଲିତା ଟପ୍ପୋ ସ୍ଥାନ ପାଇଛନ୍ତି। ଡିଫେଣ୍ଡର ପ୍ରୀତିଙ୍କୁ ଅଧିନାୟିକା ଓ ମିଡ୍‌ ଫିଲ୍ଡର ଋତୁଜା ଦାଦାସୋ ପିସାଲଙ୍କୁ ଉପ-ଅଧିନାୟିକା କରାଯାଇଛି। ୨୦୨୩ ନଭେମ୍ବର ୨୯ରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ଚିଲିର ସାଣ୍ଟିଆଗୋଠାରେ ଏଫ୍‌ଆଇଏଚ୍‌ ହକି ଜୁନିୟର ବିଶ୍ୱକପ ଅନୁଷ୍ଠିତ ହେବ। ଏହି ମେଗା ପ୍ରତିଯୋଗିତା ପୂର୍ବରୁ ଚତୁଃରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ଭାରତ ଭଲ ଅଭ୍ୟାସ ପାଇବ।
”ଅଭ୍ୟାସ ସେସନରେ ଯାହା ଶିଖା ଯାଇଛି ତାହାକୁ ପ୍ରୟୋଗ କରିବା ସହ ଅନ୍ତର୍ଜାତୀୟ ସ୍ତରରେ ନିଜକୁ ପ୍ରମାଣିତ କରିବାକୁ ଚତୁଃରାଷ୍ଟ୍ରୀୟ ଟୁର୍ନାମେଣ୍ଟ ଭଲ ସୁଯୋଗ ଆଣିବ। ଆଗକୁ ଜୁନିୟର ବିଶ୍ୱକପ୍‌ ଆସୁଛି। ତେଣୁ ଚତୁଃରାଷ୍ଟ୍ରୀୟ ଟୁର୍ନାମେଣ୍ଟରୁ ଆମର ଦୁର୍ବଳତା ସମ୍ପର୍କରେ ଜାଣିବାକୁ ମଧ୍ୟ ସୁଯୋଗ ମିଳିବ। ଏହି ଟୁର୍ନାମେଣ୍ଟ ନିଶ୍ଚିତ ପିଲାମାନଙ୍କ ଆତ୍ମବିଶ୍ୱାସ ଦୃଢ଼ କରିବା ନେଇ ଆମେ ଆଶାବାଦୀ“ ବୋଲି ମୁଖ୍ୟ କୋଚ୍‌ ତୁଷାର ଖାଣ୍ଡକର ପ୍ରକାଶ କରିଛନ୍ତି।
ଭାରତୀୟ ଦଳ
ଗୋଲକିପର୍ସ: ମାଧୁରୀ କିଣ୍ଡୋ, ଖୁସ୍‌ବୁ।
ଡିଫେଣ୍ଡର୍ସ: ପ୍ରୀତି (ଅଧିନାୟିକା), ରୋପନି କୁମାରୀ, ଅଞ୍ଜଳି ବାରଓ୍ବା, ନୀଲମ, ଥୌନାଓଜାମ ନିରୂପମା ଦେବୀ।
ମିଡ୍‌ଫିଲ୍ଡର୍ସ: ଋତୁଜା ଦାଦାସୋ ପିସାଲ (ଉପ-ଅଧିନାୟିକା), ମଞ୍ଜୁ ଚୌରାସିଆ, ସାକ୍ଷୀ ରାଣା, ସୁଜାତା କୁଜୁର, ଭୂମିକ୍ସା ସାହୁ, ଜ୍ୟୋତି ସିଂ, ମହିମା ଟେଟେ, ହିନା ବାନୋ।
ଫରଓ୍ବାଡର୍‌ସ: ଅନୁ, ଦୀପିକା ସୋରେଙ୍ଗ, ସୁନେଲିତା ଟପ୍ପୋ, କାଜଲ ସଦାଶିବ ଅତପାଦକର, ମୁମ୍‌ତାଜ ଖାଁ।

Share