Categories: ଖେଳ

ଭାରତୀୟ କୋର୍‌ ଗ୍ରୁପ୍‌ରେ ଓଡ଼ିଶାର ୪

ନୂଆଦିଲ୍ଲୀ, ୨୬।୬(ପି.ଟି.): ଏସିଆନ ଚାମ୍ପିୟନ୍ସ ଟ୍ରଫିକୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ପକ୍ଷରୁ ଜାତୀୟ କ୍ୟାମ୍ପ ପାଇଁ ରବିବାର ୩୯ ଜଣିଆ କୋର୍‌ ଗ୍ରୁପ୍‌ ଖେଳାଳି ତାଲିକା ଘୋଷଣା କରାଯାଇଛି। ଏହି ତାଲିକାରେ ଓଡ଼ିଶାର ୪ ଖେଳାଳି ସାମିଲ ଅଛନ୍ତି। ସେମାନେ ହେଲେ ଅମିତ ରୋହିଦାସ, ନୀଲମ ସଞ୍ଜୀପ ଖେସ୍‌, ଦୀପସାନ ତିର୍କୀ ଓ ଶୀଳାନନ୍ଦ ଲାକ୍ରା। ବେଙ୍ଗାଲୁରୁସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ସେଣ୍ଟରରେ ଭାରତୀୟ ଦଳର କ୍ୟାମ୍ପ ସୋମବାରଠାରୁ ଆରମ୍ଭ ହୋଇ ଜୁଲାଇ ୧୯ ପର୍ଯ୍ୟନ୍ତ ଚାଲିବ। କ୍ୟାମ୍ପ ଶେଷ ହେବା ପରେ ଭାରତୀୟ ଦଳ ସ୍ପେନ୍‌ ଯାଇ ୧୦୦ତମ ଆନିଭର୍ସାରି ସ୍ପାନିଶ ହକି ଫେଡେରେଶନ ଇଣ୍ଟରନ୍ୟାଶନାଲ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବ। ଜୁଲାଇ ୨୫ରୁ ୩୦ ପର୍ଯ୍ୟନ୍ତ ହେବାକୁଥିବା ଏହି ଚତୁଃରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ଭାରତ ଘରୋଇ ସ୍ପେନ୍‌ ସହିତ ଇଂଲଣ୍ଡ ଓ ନେଦରଲାଣ୍ଡ୍ସ ବିପକ୍ଷରେ ମ୍ୟାଚ ଖେଳିବ। ଚତୁଃରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ଖେଳିବା ପରେ ଭାରତୀୟ ଦଳ ଅଗଷ୍ଟ ୩ରୁ ଚେନ୍ନାଇରେ ହେବାକୁଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଭାଗନେବ। ସେଠାରେ ଭାରତର କୋରିଆ, ମାଲେସିଆ, ପାକିସ୍ତାନ, ଜାପାନ ଓ ଚାଇନା ସହିତ ମୁକାବିଲା ହେବ। ”ବେଲ୍‌ଜିୟମ ଓ ନେଦରଲାଣ୍ଡ୍ସରେ ଆମେ ୨୦୨୨-୨୩ ଏଫ୍‌ଆଇଏଚ୍‌ ପୁରୁଷ ହକି ପ୍ରୋ-ଲିଗ୍‌ ମ୍ୟାଚଗୁଡ଼ିକରେ ଭଲ ପ୍ରଦର୍ଶନ କରିଥିଲୁ। ଆମେ ଏବେ ସେହି ପ୍ରଦର୍ଶନ ବଜାୟ ରଖିବା ଆଶାରେ ଅଛୁ, ବିଶେଷ କରି ବର୍ଷର ଶେଷ ଭାଗରେ ହେବାକୁଥିବା ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟଗୁଡ଼ିକରେ ସ୍ଥିରତା ବଜାୟ ରଖିବା ମୁଖ୍ୟ ଲକ୍ଷ୍ୟ“ ବୋଲି ମୁଖ୍ୟ କୋଚ୍‌ ଗ୍ରେଗ୍‌ ଫୁଲଟନ ପ୍ରକାଶ କରିଛନ୍ତି।
ଭାରତୀୟ କୋର୍‌ ଗ୍ରୁପ୍‌
ଗୋଲକିପର୍ସ: କ୍ରିଶନ ବାହାଦୁର ପାଠକ, ପି.ଆର. ଶ୍ରୀଜେଶ, ସୂରଜ କରକେରା, ପଓ୍ବନ ମଲିକ, ପ୍ରଶାନ୍ତ କୁମାର ଚୌହାନ।
ଡିଫେଣ୍ଡର୍ସ: ଜରମନପ୍ରୀତ ସିଂ, ସୁରେନ୍ଦର କୁମାର, ହରମନପ୍ରୀତ ସିଂ, ବରୁଣ କୁମାର, ଅମିତ ରୋହିଦାସ, ଗୁରିନ୍ଦର ସିଂ, ଯୁଗରାଜ ସିଂ, ମନଦୀପ ମୋର, ନିଲମ ସଞ୍ଜୀପ ଖେସ୍‌, ସଞ୍ଜୟ, ଯଶଦୀପ ସିଓ୍ବାଚ୍‌, ଦୀପସାନ ତିର୍କୀ, ମନଜିତ।
ମିଡ୍‌ଫିଲ୍ଡର୍ସ: ମନପ୍ରୀତ ସିଂ, ହାର୍ଦ୍ଦିକ ସିଂ, ବିବେକ ସାଗର ପ୍ରସାଦ, ମୋଇରାଙ୍ଗଥେମ୍‌ ରବୀଚନ୍ଦ୍ର ସିଂ, ଶମସେର ସିଂ, ନୀଳକାନ୍ତ ଶର୍ମା, ରାଜକୁମାର ପାଲ୍‌, ସୁମିତ, ଆକାଶଦୀପ ସିଂ, ଗୁଜଜାନ୍ତ ସିଂ, ମହମ୍ମଦ ରାହିଲ ମୌସିନ, ମନିନ୍ଦର ସିଂ।
ଫରଓ୍ବାଡର୍‌ସ: ଏସ୍‌. କାର୍ଥୀ, ମନଦୀପ ସିଂ, ଲଳିତ କୁମାର ଉପାଧ୍ୟାୟ, ଅଭିଷେକ, ଦିଲପ୍ରୀତ ସିଂ, ସୁଖଜିତ ସିଂ, ସିମରନଜିତ ସିଂ, ଶୀଳାନନ୍ଦ ଲାକ୍ରା, ପଓ୍ବନ ରାଜଭାର।

Share