Categories: ଖେଳ

ଅଲମ୍ପିକ୍ସରେ ଇତିହାସ ରଚିଲେ ୩ ଭାରତୀୟ, ପଦକ ନଜିତି ବି କଲେ ରେକର୍ଡ

ନୂଆଦିଲ୍ଲୀ, ୩୦।୦୭: ପ୍ୟାରିସ୍‌ ଅଲମ୍ପିକ୍ସରେ ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ପଦକ ହାସଲ କରିଛି । ହେଲେ ନୂଆ ନୂଆ କିର୍ତ୍ତୀମାନ ସ୍ଥାପନ କରୁଥିବା ଦେଖିବାକୁ ମିଳୁଛି । ଗତ ତିନିଦିନର ଖେଳ ମଧ୍ୟରେ ୩ଟି ଇଭେଣ୍ଟରେ ଭାରତୀୟ କ୍ରୀଡ଼ାବିତ୍‌ମାନେ ଭଲ ପ୍ରଦର୍ଶନ କରି ଇତିହାସ ରଚିଛନ୍ତି । ବ୍ୟାଡ୍‌ମିଣ୍ଟନରେ ସ଼୍ବାତିକ୍‌ ଏବଂ ଚିରାଗ, ଟେବୁଲ ଟେନିସ୍‌ରେ ମନିକା ବାତ୍ରା ଏବଂ ସୁଟିଂରେ ମନୁ ଭାକର ଏପରି କରି ଦେଖାଇଛନ୍ତି ଯାହା ଆଗରୁ କେବେ ଅଲମ୍ପିକ୍ସରେ ହୋଇନାହିଁ ।

ପ୍ୟାରିସ ଅଲିମ୍ପିକ୍ସର ଚତୁର୍ଥ ଦିନରେ ସୁଟିଂରେ ଭାରତ ପଦକ ଆଶା କରୁଛି । ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମନୁ ଭାକର ବ୍ରୋଞ୍ଜ ପଦକ ଜିତିବା ପରେ ସୁଟିଂରେ ଭାରତର ଆକାଉଣ୍ଟ ଖୋଲିଥିଲା । ବର୍ତ୍ତମାନ ଡବଲ୍ସ ଇଭେଣ୍ଟରେ ସେ ତାଙ୍କ ସାଥୀ ସରବଜୋଟ ସିଂଙ୍କ ସହ ଆଉ ଏକ ବ୍ରୋଞ୍ଜ ପଦକ ପାଇଁ ଲକ୍ଷ୍ୟ ରଖିଛନ୍ତି । ପ୍ୟାରିସ ଅଲିମ୍ପିକ୍ସର ତୃତୀୟ ଦିନରେ ବ୍ୟାଡମିଣ୍ଟନ ଡବଲ୍ସରେ ଭାରତୀୟ ଯୋଡି ସାତ଼୍ବିକସାଇରାଜ ରଙ୍କିରେଡ୍ଡି ଏବଂ ଚିରାଗ ଶେଟ୍ଟୀଙ୍କ ମ୍ୟାଚ ବାତିଲ କରାଯାଇଥିଲା। ଏହା ପରେ ଏହି ଯୋଡି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ । ଏହା ପୂର୍ବରୁ କୌଣସି ଭାରତୀୟ ଯୋଡ଼ି କ଼୍ବାର୍ଟର ଫାଇନାଲ ଯାଇନଥିଲେ । ବିଳମ୍ବିତ ରାତିରେ ଟେବୁଲ ଟେନିସ ପ୍ରି-କ୍ୱାର୍ଟର ଫାଇନାଲରେ ମାନିକା ବାତ୍ରା ତାଙ୍କ ସ୍ଥାନ ପକ୍କା କରିଥିଲେ। ଭାରତ ପକ୍ଷରୁ ପ୍ରଥମ ମହିଳା ଭାବେ ସେ ପ୍ରି କ଼୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ତେବେ ପଦକ ପାଇଁ ଭାରତୀୟ ପ୍ରଶଂସକଙ୍କ ଆଶା ସେମାନଙ୍କ ବିଜୟ ସହିତ ବୃଦ୍ଧି ପାଇଛି ।

Share