Categories: ଜାତୀୟ

ଭାରତୀୟ ବଂଶୋଦ୍ଭବ ୪ ପ୍ରାର୍ଥୀ ପୁନଃ ନିର୍ବାଚିତ

ନୂଆଦିଲ୍ଲୀ,୪।୧୧: ଆମେରିକା ନିର୍ବାଚନରେ ଭାରତୀୟ ବଂଶୋଦ୍ଭବ ପ୍ରାର୍ଥୀଙ୍କୁ ବିପୁଳ ସଫଳତା ମିଳିଛି। ଡେମୋକ୍ରାଟିକ୍‌ ପାର୍ଟିରୁ ପ୍ରତିନିଧିତ୍ୱ କରୁଥିବା ଡଃ ଆମି ବେରା, ପ୍ରମିଳା ଜୟପାଲ, ରୋ ଖାନ୍ନା ଓ ରାଜା କ୍ରିଷ୍ଣମୂର୍ତ୍ତି ଆମେରିକା ପ୍ରତିନିଧି ସଭାକୁ ପୁନଃ ନିର୍ବାଚିତ ହୋଇଛନ୍ତି। ଆମେରିକା ନିର୍ବାଚନ ଇତିହାସରେ ସମସ୍ତ ୪ ଭାରତୀୟ ବଂଶୋଦ୍ଭବ ବାଜିମାତ୍‌ କରିବା ପ୍ରଥମ ବୋଲି କୁହାଯାଉଛି। ଆମେରିକାର ଫ୍ଲୋରିଡା, ଜର୍ଜିଆ, ମିଚିଗାନ୍‌, ଉତ୍ତର କାରୋଲିନା, ପେନ୍‌ସିଲଭାନିଆ ଓ ଟେକ୍ସାସ ଆଦି ଅଞ୍ଚଳରେ ରହୁଥିବା ମୋଟ୍‌ ୧.୮ ନିୟୁତ ଭାରତୀୟ ବଂଶୋଦ୍ଭବଙ୍କୁ ପ୍ରଭାବିତ କରିବା ଲାଗି ଡେମୋକ୍ରାଟ୍‌ ଓ ରିପବ୍ଲିିକାନ୍‌ କ୍ୟାମ୍ପେନ୍‌ ଜୋର୍‌ ଧରିଥିଲା।
ରାଜା କ୍ରିଷ୍ଣମୂର୍ତ୍ତି (୪୭) ଲିବରଟାରିଆନ୍‌ ପାର୍ଟିର ପ୍ରାର୍ଥୀ ପ୍ରେଷ୍ଟନ୍‌ ନେଲ୍‌ସନ୍‌ଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି। ଡଃ ଆମି ବେରା(୫୫) ପ୍ରତିଦ୍ୱନ୍ଦ୍ୱୀ ବୁଜ୍‌ ପାଟ୍ଟରସନ୍‌ଙ୍କୁ ପରାସ୍ତ କରିଛନ୍ତି। ଅନୁରୂପ ଭାବେ ରୋ ଖାନ୍ନା (୪୪) ଅନ୍ୟତମ ଭାରତୀୟ ବଂଶୋଦ୍ଭବ ତଥା ରିପବ୍ଲିକାନ୍‌ ପ୍ରାର୍ଥୀ ରୀତେଶ୍‌ ଟଣ୍ଡନ୍‌ଙ୍କୁ ସହଜରେ ପରାସ୍ତ କରିଥିଲେ। ୫୦%ରୁ ଊର୍ଦ୍ଧ୍ୱ ଭୋଟ ଖାନ୍ନାଙ୍କ ସପକ୍ଷରେ ପଡ଼ିଥିଲା। ସେହିଭଳି ପ୍ରମିଳା ଜୟପାଲ ମଧ୍ୟ ବାଜିମାତ୍‌ କରି ଡେମୋକ୍ରାଟ୍‌ ସଦସ୍ୟ ଭାବେ ପ୍ରତିନିଧି ସଭାକୁ ଯାଇଛନ୍ତି।

Share