Categories: ଜାତୀୟ

ଲୋହିତ ସାଗରରେ ୪ ଭାରତୀୟ ନୌସେନା ଯୁଦ୍ଧପୋତ: ହୁତି ବିଦ୍ରୋହୀ ହେବେ ସାବାଡ…

ନୂଆଦିଲ୍ଲୀ,୨୫।୧୨ : ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ହୁତି ବିଦ୍ରୋହୀଙ୍କ ଆକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ନୌସେନା ଲୋହିତ ସାଗରରେ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ୪ ଟି ଜାହାଜ ନିୟୋଜିତ କରିଛି। ଭାରତୀୟ ନୌସେନା ବିନାଶକାରୀ ଆଇଏନସ କୋଚି, କୋଲକାତା, ମର୍ମୁଗାଓ ଏବଂ ଲୋହିତ ସାଗର ନିକଟରେ ଆଇଏନଏସ ତ୍ରିଶୂଲକୁ ନିୟୋଜିତ କରିଛି। ସ୍ବଦେଶୀ ଆଇଏନଏସ କୋଚି ରାଡାରରୁ ଦୂରେଇ ରହିବାରେ ପାରଙ୍ଗମ। ଏହା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ସୁପର ସୋନିକ ଏବଂ ଭୂପୃଷ୍ଠରୁ ଭୂପୃଷ୍ଠ ବ୍ରହ୍ମୋସ କ୍ଷେପଣାସ୍ତ୍ର ସହିତ ସଜ୍ଜିତ। ଆଇଏନସ କୋଲକାତା ଭାରତରେ ନିର୍ମିତ ସବୁଠାରୁ ଶକ୍ତିଶାଳୀ ଯୁଦ୍ଧ ଜାହାଜ ମଧ୍ୟରୁ ଅନ୍ୟତମ। ଏହା ଦୀର୍ଘ ଦୂରଗାମୀ ଭୂପୃଷ୍ଠରୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ସହିତ ସଜ୍ଜିତ। ମର୍ମୁଗାଓ ବିଶାଖାପଟନମରେ ନିର୍ମିତ ଭାରତୀୟ ନୌସେନାର ଏକ ବିନାଶକାରୀ ଜାହାଜ। ଫ୍ରିଗେଟ ଆଇଏନଏସ ତ୍ରିଶୂଲ ଭୂପୃଷ୍ଠରୁ ବାୟୁ ଅସ୍ତ୍ର ସହିତ ସଜ୍ଜିତ ।

ଅପରପକ୍ଷରେ, ଭାରତୀୟ ନୌସେନା ହୁତି ବିଦ୍ରୋହୀଙ୍କ ଡ୍ରୋନ ଆକ୍ରମଣର ଶିକାର ହୋଇଥିବା କେମ ପ୍ଲୁଟୋ ଜାହାଜକୁ ସ୍ଥାନାନ୍ତର କରି ଏହାକୁ ଭାରତୀୟ ତଟରକ୍ଷୀ ବାହିନୀ ଜାହାଜ ଏବଂ ଡର୍ନିୟର ହେଲିକପ୍ଟରର ତତ୍ତ୍ୱାବଧାନରେ ମୁମ୍ବାଇ ପଠାଇଥିଲା। ଏହି ଆକ୍ରମଣର ତଦନ୍ତ ମଧ୍ୟ ଆରମ୍ଭ ହୋଇଛି। ଏହି ସୂଚନା ପ୍ରଦାନ କରି ନୌସେନାର ମୁଖପାତ୍ର କମାଣ୍ଡର ବିବେକ ମାଧୱାଲ କହିଛନ୍ତି ଅକ୍ଟୋବରରୁ ଇସ୍ରାଏଲ-ହମାସ ଯୁଦ୍ଧର ପ୍ରଭାବ ଭାରତ ମୁହାଁ ହୋଇଛି। ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ସମୁଦ୍ର ଦେଇ ଭାରତକୁ ଆସୁଥିବା ଏକ ଜାହାଜ ଉପରେ ଆକ୍ରମଣ କରିଥିଲେ। ଏହି ଜାହାଜ ସାଉଦି ଆରବରୁ ଭାରତକୁ ଆସୁଥିଲା, କିନ୍ତୁ ଏଥିରେ ଥିବା ସାମଗ୍ରୀ ଇସ୍ରାଏଲ ସହିତ ଜଡିତ ଥିଲା, ତେଣୁ ଇସ୍ରାଏଲ ପ୍ରତି ଶତ୍ରୁତା ଦେଖାଇବାକୁ ଆକ୍ରମଣକାରୀମାନେ ଜାହାଜକୁ ଟାର୍ଗେଟ କରିଥିଲେ। ଭାରତୀୟ ଉପକୂଳଠାରୁ ପ୍ରାୟ ୩୭୦ କିଲୋମିଟର ଦୂରରେ ଏହି ଜାହାଜ ଉପରେ ଡ୍ରୋନ ଆକ୍ରମଣ କରାଯାଇଥିଲା। ଏହି ଜାହାଜରେ ୨୧ ଜଣ ଭାରତୀୟ ମଧ୍ୟ ଥିଲେ।

ଇସ୍ରାଏଲ-ହମାସ ଯୁଦ୍ଧ ଆରମ୍ଭ ହେବା ପରେ ୧୯ ନଭେମ୍ବରରେ ଲୋହିତ ସାଗରରେ ଏକ ଜାହାଜକୁ ମଧ୍ୟ ଟାର୍ଗେଟ କରାଯାଇଥିଲା। ହୁତି ବିଦ୍ରୋହୀମାନେ ମଧ୍ୟ ବ୍ରିଟେନର ଏକ ଜାହାଜକୁ ଅପହରଣ କରିଥିଲେ। ଡିସେମ୍ବର ୩, ଡିସେମ୍ବର ୧୨ ଏବଂ ଡିସେମ୍ବର ୧୩ ରେ, ହୁତି ବିଦ୍ରୋହୀମାନେ ମଧ୍ୟ ସମୁଦ୍ରରେ ଜାହାଜ ଉପରେ ଆକ୍ରମଣ କରିଥିଲେ।

Share