Categories: ଖେଳ

ଭାରତର ୪ ଦଳକୁ ମିଳିଲାନି କ୍ଲିୟରାନ୍ସ

ନୂଆଦିଲ୍ଳୀ, ୨୭ା୭ (ପି.ଟି): ଆସନ୍ତା ଏସିଆନ୍‌ ଗେମ୍ସ ୨୦୨୩ରୁ ୪ଟି ଦଳଗତ ଟିମ୍‌କୁ ବାଦ ଦେଇଛି କ୍ରୀଡା ମନ୍ତ୍ରଣାଳୟ। ଭାରତୀୟ ମହିଳା ସଫ୍ଟବଲ୍‌ ଦଳ, ପୁରୁଷ ଓ୍ବାଟର ପୋଲୋ ଦଳ, ପୁରୁଷ ହ୍ୟାଣ୍ଡବଲ ଦଳ ଓ ପୁରୁଷ ଫାଇଭ୍‌ ଏ ସାଇଡ୍‌ ବାସ୍କେଟବଲ୍‌ ଦଳକୁ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ମିଳି ନାହିଁ। ବୁଧବାର ଚୂଡାନ୍ତ ତାଲିକା ପ୍ରକାଶ ପାଇଥିବା ବେଳେ ସମୁଦାୟ ୧୫ ଦଳଙ୍କୁ ଏସିଆନ୍‌ ଗେମ୍ସ ପାଇଁ ଅନୁମତି ମିଳିଛି। ଏସିଆନ୍‌ ଗେମ୍ସ ଡ୍ର ପାଇଁ ୨୭ ଅନ୍ତିମ ତାରିଖ ରହିଥିବା ବେଳେ ଭାରତୀୟ ଅଲିମ୍ପିକ ମହାସଂଘ(ଆଇଓଏ) ପକ୍ଷରୁ ଆୟୋଜକ କମିଟିକୁ ଚୂଡାନ୍ତ ତାଲିକା ପଠାଯାଇଛି। ମନୋନୀତ ସମସ୍ତ ଦଳଙ୍କୁ ସରକାରଙ୍କ ଖର୍ଚ୍ଚରେ ପଠାଯିବ ବୋଲି କ୍ରୀଡା ନିର୍ଦ୍ଦେଶକ ଏସ୍‌ପିଏସ୍‌ ତୋମର ସୂଚନା ଦେଇଛନ୍ତି।
ଉଭୟ ପୁରୁଷ ଓ ମହିଳା କ୍ରିକେଟ, ହକି, ଫୁଟବଲ, ଭଲିବଲ୍‌ କବାଡି, ଥ୍ରି ଏ ସାଇଡ୍‌ ବାସ୍କେଟବଲ, ଦଳକୁ ଅନୁମତି ପ୍ରଦାନ କରାଯାଇଛି। ଏହା ସହିତ ମହିଳା ହ୍ୟାଣ୍ଡବଲ୍‌, ମହିଳା ରଗ୍‌ବୀ ଓ ମହିଳା ଫାଇଭ୍‌ ଏ ସାଇଡ୍‌ ବାସ୍କେଟବଲ୍‌ ଦଳକୁ ମଧ୍ୟ ଗ୍ରୀନ୍‌ ସିଗ୍‌ନାଲ ମିଳିଛି।ସରକାରଙ୍କ ଏହି ନିଷ୍ପତ୍ତିରେ ଓ୍ବାଟର ପୋଲୋ ଟିମ୍‌ ପକ୍ଷରୁ ନିରାଶାବ୍ୟକ୍ତ କରାଯାଇଛି। ପୁରୁଷ ଓ ମହିଳା ଫୁଟବଲ ଟିମ୍‌କୁ ଶେଷ ମୁହୂର୍ତ୍ତରେ କ୍ଲିଅରାନ୍ସ ମିଳିଥିବା ବେଳେ ଓ୍ବାଟର ପୋଲୋ ଟିମ ଏସିଆର ନବମ ସ୍ଥାନରେ ରହିଛି କିନ୍ତୁ ଦଳକୁ ଅନୁମତି ନ ମିଳିବା ଦୁର୍ଭାଗ୍ୟ ଜନକ ବୋଲି ସନ୍ତରଣ ମହାସଂଘ ଚେୟାରମ୍ୟାନ ମୋନାଲ ଚୋକ୍ସି କହିଛନ୍ତି।
ଅନ୍ୟ ପକ୍ଷରେ ସଫ୍ଟବଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏସ୍‌ବିଏଆଇ) ପକ୍ଷରୁ ମଧ୍ୟ ସମାନ ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରଥମ ଥର ସଫ୍ଟବଲ୍‌ ମନୋନୀତ ହୋଇଥିବା ବେଳେ ସୋମବାର ଏସ୍‌ବିଏଆଇ ପକ୍ଷରୁ ୬ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଥିଲା। ଏଥିରେ ଓଡ଼ିଶାର ଶ୍ୱେତାସିନୀ ଶବର ସାମିଲ ଥିଲେ। ଏ ସମ୍ପର୍କରେ ବର୍ତ୍ତମାନ ଶୁଣିବାକୁ ପାଇଥିବା ବେଳେ କୌଣସି ଆଧିକାରିକ ଅର୍ଡର ହସ୍ତଗତ ହୋଇ ନାହିଁ ବୋଲି କହିଛନ୍ତି ଏସ୍‌ବିଏଆଇ ସଭାପତି ନୀତଲ ନାରଙ୍ଗ। ସଫ୍ଟବଲ୍‌ ବାଦ ପଡିଥିବାରୁ ଶ୍ୱେତାସ୍ବିନୀ ମଧ୍ୟ ନିରାଶ ହୋଇଛନ୍ତି।

Share